November 25, 2026

ଆଜି ରାଜଧାନୀର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ପରିସରରେ ହୋମିଓପାଥି ଉପରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ

1 min read

ଭୁବନେଶ୍ବର: ଆଜି ରାଜଧାନୀର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ପରିସରରେ ହୋମିଓପାଥି ଉପରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ବ୍ରଜମୋହନ ରାମ,ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ହୋମିଓପାଥି ଚିକିତ୍ସା ପଦ୍ଧତି ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଏହାକୁ ଉପଯୁକ୍ତ ସମ୍ମାନ ମିଳିନଥିଲା । ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀ ୯ ନଭେମ୍ବର ୨୦୧୪ ମସିହାରେ ଆୟୁଷକୁ ଏକ ସ୍ଵତନ୍ତ୍ର ମନ୍ତ୍ରାଳୟ ଭାବେ ଉନ୍ନୀତ କରିଥିଲେ, ଯାହାଫଳରେ ଭାରତୀୟ ଚିକିତ୍ସା ବିଜ୍ଞାନ ସହିତ ହୋମିଓପାଥିକୁ ଏକ ସ୍ଵତନ୍ତ୍ର ସ୍ଥାନ ଓ ସମ୍ମାନ ମିଳିଥିଲା। ଏଲୋପାଥିକ ଓ ଆୟୁର୍ବେଦିକ୍ ସହିତ ହୋମିଓପାଥି ଚିକିତ୍ସା ମଧ୍ୟ ଆମ ଦେଶରେ ଏବଂ ଓଡ଼ିଶାରେ ଖୁବ୍ ଲୋକପ୍ରିୟ । ତେବେ, ଏଥିରେ ଶିକ୍ଷା, ଗବେଷଣା ସହିତ ଏହାର ଗୁଣାତ୍ମକ ବିକାଶ ପାଇଁ ଆମକୁ ନିରନ୍ତର ପ୍ରୟାସ କରିବାକୁ ହେବ । ବିଶେଷକରି ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, କ୍ଲିନିକାଲ୍ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣର ଗୁରୁତ୍ୱକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ।

ସେ ଆହୁରି କହିଛନ୍ତି, ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍‌ପିଟାଲ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ। ହୋମିଓପାଥିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମ ସରକାର କାର୍ଯ୍ୟକରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଅଛି। ଆମ ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଢେଙ୍କାନାଳ ଓ ବ୍ରହ୍ମପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଖୁବ୍‌ଶୀଘ୍ର ସେଠାରେ ସେବା ପ୍ରଦାନ ଆରମ୍ଭ କରାଯିବ। ବାଲେଶ୍ୱରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି

ଆୟୁର୍ବେଦିକ ଓ ହୋମିଓପାଥି ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଁ ରାଜ୍ୟ ସରକାର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର PG ଛାତ୍ରଛାତ୍ରୀ ଓ ହାଉସ୍‌ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି । ଓଡ଼ିଶା ହୋମିଓପାଥିକ ମେଡିକାଲ ସର୍ଭିସ୍ କ୍ୟାଡର, ଆୟୁର୍ବେଦିକ ମେଡିକାଲ ସର୍ଭିସ୍ କ୍ୟାଡର ଏବଂ ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ସହ ସେମାନଙ୍କ ବେତନ ଢାଞ୍ଚାର ସଂଶୋଧନ ମଧ୍ୟ କରାଯାଇଛି। ଚୁକ୍ତିଭିତ୍ତିକ ଅଧ୍ୟାପକ, ରିଡର୍ ଓ ପ୍ରଫେସରମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି।ଆୟୁଷ୍ମାନ ଭାରତ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି । ଏଠାରେ ଆୟୁର୍ବେଦିକ ସହିତ ହୋମିଓପାଥିକ ଚିକିତ୍ସା ମଧ୍ୟ କରାଯାଉଛି ।

ଲକ୍ଷ୍ୟ ପୂରଣର ମୁଖ୍ୟ ଆଧାର

ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏକ ଅଗ୍ରଣୀ ଅନୁଷ୍ଠାନ। ଏହାର ଭିତ୍ତିଭୂମି ତଥା ଫାକଲ୍ଟିର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆମର ସାମୂହିକ ପ୍ରୟାସ ହିଁ ଓଡ଼ିଶାକୁ ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ନେଇଯିବ। ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଚିକିତ୍ସକମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଏହି ଲକ୍ଷ୍ୟ ପୂରଣର ମୁଖ୍ୟ ଆଧାର।