November 25, 2026

ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ

1 min read

ଦିଗପହଣ୍ଡି,୨୫ା୧୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି। କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା ଅବସରରେ ରାମାୟଣ ନାଟକ ପରିବେଷଣ ଚାଲିଥିବା ବେଳେ ସେ ମଞ୍ଚ ଉପରେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାମାୟଣ ନାଟକରେ ଶ୍ରୀ ହନୁମାନ ଭୂମିକାରେ ଅଭିନୟ କରି ସେ ‘ମିଥୁନ ହନୁ’ ଭାବେ ବେଶ ପରିଚିତ ଥିଲେ। ଦାନ୍ତରେ ନଡ଼ିଆ କତା ଛଡ଼ାଇବା ଓ ବାଇକ ଉଠାଇବା ଭଳି ଅଭିନୟ ପାଇଁ ସେ ଦର୍ଶକଙ୍କ ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଥିବା ରାମାୟଣ ନାଟକର ହନୁମାନ ଚରିତ୍ରରେ ଅଭିନୟ ପାଇଁ ଅତିଥି କଳାକାର ଭାବେ ନିମନ୍ତ୍ରିତ ହୋଇଯାଉଥିଲେ। ତାଙ୍କ ଅକାଳ ବିୟୋଗ ସମଗ୍ର ଗଞ୍ଜାମ ଜିଲା ମଞ୍ଚ କଳାର ଅପୂରଣୀୟ କ୍ଷତି ଘଟିଛି। ଜିଲାବାସୀ ଜଣେ ବିଖ୍ୟାତ କଳାକାରଙ୍କୁ ହରାଇଛି ବୋଲି ଗ୍ରାମର ସାମାଜିକ କର୍ମୀ ତଥା ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କର ସ୍ତ୍ରୀ ଓ ୨ ଟି ଝିଅ ଅଛନ୍ତି। ପରଲୋକ ଖବର ପାଇ ବୁଧବାର ବହୁ ବିଶିଷ୍ଟ ବ୍ୟକ୍ତି, ସାଥୀ ମଞ୍ଚ କଳାକାର ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।