November 25, 2026

ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଥିବା ଏକ କାଫେରେ ଯୁବତୀଙ୍କୁ ଗଣବଳାତ୍କାର

1 min read

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଥିବା ଏକ କାଫେରେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ପାର୍ଟି ପରେ ୨୨ ବର୍ଷୀୟା ଯୁବତୀଙ୍କ ସହ ଏହି ଛାତିଥରା ଘଟଣା ଘଟିଥିଲା । ଏହି ମାମଲାରେ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ପୋଲିସ ସୂଚନା ଅନୁସାରେ, ପୀଡ଼ିତା ଓ ଅଭିଯୁକ୍ତମାନେ କଡ଼କଡ଼ଡୁମାସ୍ଥିତ କ୍ରସ୍ ରିଭର ମଲ୍‌ରେ ଥିବା ‘କାଫେ ୮’ରେ କାମ କରୁଥିଲେ । ସୋମବାର ରାତିରେ ପୀଡ଼ିତାଙ୍କ ସମେତ ୮ ଜଣ ପ୍ରୀତ ବିହାରର ‘ସଲତନତ୍ କାଫେ’ରେ ପାର୍ଟି କରିବାକୁ ଏକାଠି ହୋଇଥିଲେ। ସାଧାରଣତଃ ରାତି ୧୧ଟା ୩୦ରେ କାଫେ ବନ୍ଦ ହୋଇଯାଏ । କିନ୍ତୁ ଗୋଷ୍ଠୀର ଜଣେ କର୍ମଚାରୀଙ୍କ ପାଖରେ କାଫେର ଚାବି ଥିବାରୁ ପାର୍ଟି ଜାରି ରଖିବା ପାଇଁ ଏହାକୁ ପୁଣି ଖୋଲାଯାଇଥିବା କୁହାଯାଉଛି । ସେଠାରେ ସମସ୍ତେ ମଦ୍ୟପାନ କରିଥିବା ଏବଂ ଭୋର ପ୍ରାୟ ୩ଟା ୩୦ରେ କାଫେରୁ ବାହାରିଥିବା ସୂଚନା ମିଳିଛି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, କାଫେରୁ ବାହାରିବାର କିଛି ସମୟ ପରେ ଦୁଇ ଜଣ ତାଙ୍କ ସହ ଗଣବଳାତ୍କାର କରିଥିଲେ । ଏଥିରେ ଅନ୍ୟ ସହଯୋଗୀମାନେ ମଧ୍ୟ ସହାୟତା କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଚାରି ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୬ ଜଣଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରିଛି । ଦୁଇ ମହିଳାଙ୍କ ସମେତ ତିନି ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଖୋଜା ଚାଲିଛି ।

ବର୍ତ୍ତମାନ ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି । ଏହା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯିବ। ପ୍ରାଥମିକ ସୂଚନା ଅନୁସାରେ, ଯୁବତୀ ଘଟଣା ପରେ ତୁରନ୍ତ ପୋଲିସକୁ ଜଣାଇନଥିଲେ। ଅନ୍ୟପକ୍ଷରେ, ସିସିଟିଭି ଫୁଟେଜ୍‌ରେ ଯୁବତୀ ଜଣେ ପୁରୁଷ ବନ୍ଧୁ ଓ ଅନ୍ୟ ଦୁଇ ମହିଳାଙ୍କ ସହ ଏକ କାର୍‌ରେ ଯାଉଥିବା ଦେଖାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।