November 23, 2026

୫ମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଅଡ଼ୁଆରେ ପ୍ରଧାନଶିକ୍ଷକ

1 min read

କଳିଙ୍ଗନଗର, ୨୨/୧୧ (ବିପ୍ର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ସ୍ଥିତ ବେଲହାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ପ୍ରଧାନଶିକ୍ଷକ ଅଡ଼ୁଆରେ ପଡ଼ିଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର ପକ୍ଷରୁ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ଦିନ ବେଲହାରୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଶିବାନନ୍ଦ ସାହୁ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ମହେନ୍ଦ୍ର ପୂର୍ତ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମନଇଚ୍ଛା ପିଟି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ଛାତ୍ରଙ୍କ ବାପା ମନ୍ମଥ ପୂର୍ତ୍ତି ତୁରନ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ଏଭଳି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।
ଆହତ ଛାତ୍ର ମହେନ୍ଦ୍ରଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ତେବେ ଘଟଣାର କୌଣସି ସମାଧାନ ନ ହେବାରୁ ପରଦିନ ମନ୍ମଥ ପୂର୍ତ୍ତି କଳିଙ୍ଗନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳି ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ, ପ୍ରଧାନଶିକ୍ଷକ ଶିବାନନ୍ଦ ସାହୁ ପ୍ରଥମେ ମାଡ଼ ମାରିବା ଘଟଣାକୁ ଅସ୍ୱୀକାର କରିଥିବା ବେଳେ ପରେ ଗଣମାଧ୍ୟମ ଆଗରେ ସତ ସ୍ୱୀକାର କରିଛନ୍ତି। ରାତି ୧୨ଟା ସମୟରେ ସମ୍ପୃକ୍ତ ଛାତ୍ର ଜଣକ ନଡ଼ିଆ ଗଛରେ ଚଢ଼ିଯାଇଥିବାରୁ ଉଚ୍ଚ ରକ୍ତଚାପ ବଢ଼ିଯିବାରୁ ସେ ରାଗରେ ତାଙ୍କୁ ମାରିଥିବା ପ୍ରଧାନଶିକ୍ଷକ ସଫେଇ ଦେଇଛନ୍ତି। ତେବେ ଜଣେ ଶିକ୍ଷକଙ୍କୁ କୋମଳମତି ଛାତ୍ରଙ୍କୁ ନିର୍ଯାତନା ଦେବା ଓ ଜାତିଆଣ ଆକ୍ଷେପ କରିବାର ଅଧିକାର କିଏ ଦେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଏତଲା ଆଧାରରେ କଳିଙ୍ଗନଗର ଥାନା ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।ଏପଟେ ସୁକିନ୍ଦା ବ୍ଳକ ର ଶିକ୍ଷା ଅଧିକାରୀ କହିଛନ୍ତି ତଦନ୍ତ ହେବ।