ଆଇପିଏଲ୍-୨୦୨୭ ନିଲାମ ପୂର୍ବରୁ ମୁମ୍ବଇ ଇଣ୍ଡିଆନ୍ସ ଓ ଦଳର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ ପୃଥକ୍ ହେବାର ନିଷ୍ପତ୍ତି ନେଇଛନ୍ତି
1 min read
ମୁମ୍ବାଇ:ଆଇପିଏଲ୍-୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦଳର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ ପୃଥକ୍ ହେବାର ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇଟି ସଂସ୍କରଣରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଏହା ମୁମ୍ବାଇ ସହ ତାଙ୍କର ୨ୟ କାର୍ଯ୍ୟକାଳ ଥିଲା। ପୂର୍ବରୁ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରିଥିଲେ। ଏବେ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବେ; ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ। ଅଗଷ୍ଟରେ ଅନୁଷ୍ଠିତ ୨୦୨୬ ସିଜନ୍ର ସମୀକ୍ଷା ବୈଠକରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ଦଳରେ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ପ୍ରମୁଖ ଖେଳାଳି ଓ ଫ୍ରାଞ୍ଚାଇଜି ମାଲିକ ମଧ୍ୟ ପ୍ରଶିକ୍ଷକ ଦଳରେ ପରିବର୍ତ୍ତନ ଆବଶ୍ୟକ ବୋଲି ସହମତ ହୋଇଥିବା ଜଣାପଡ଼ିଛି। ଦଳରେ ନୂଆ ଚିନ୍ତାଧାରା ଓ ଭିନ୍ନ ଦୃଷ୍ଟିକୋଣ ଆଣିବା ପାଇଁ ଯୁବ ପ୍ରଶିକ୍ଷକଙ୍କ ନିଯୁକ୍ତି ସପକ୍ଷରେ ମାହେଲା ମତ ଦେଇଥିଲେ। ବର୍ତ୍ତମାନ କୈରନ୍ ପୋଲାର୍ଡ ସହକାରୀ ପ୍ରଶିକ୍ଷକ ଓ ପାରସ ମାହ୍ମ୍ବ୍ରେ ବୋଲିଂ ପ୍ରଶିକ୍ଷକ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ନୂଆ ପ୍ରଶିକ୍ଷକ ଦାୟିତ୍ବ ନେବା ପରେ ସେ ଦଳର ପ୍ରଶିକ୍ଷକ ଦଳଙ୍କ ବିଷୟରେ ନିଷ୍ପତ୍ତି ନେଇପାରିବେ। ମୁମ୍ବାଇ ଇଣ୍ଡିଆନ୍ସ ସହ ଏକ ଦଶନ୍ଧିରୁ ଅଧିକ ସମୟର ଯାତ୍ରାକୁ ନେଇ ଭାବବିହ୍ୱଳ ହୋଇଛନ୍ତି ମହେଲା ଜୟବର୍ଦ୍ଧନେ। ଏହି ଯାତ୍ରା ତାଙ୍କ ପାଇଁ ସର୍ବଦା ସ୍ବତନ୍ତ୍ର ହୋଇ ରହିବ ବୋଲି କହିବା ସହ ଦଳର ମାଲିକାଣୀ ନୀତା ଅମ୍ବାନି ଏବଂ ଆକାଶ ଅମ୍ବାନିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କ ପ୍ରଥମ ପାଳିରେ ଜୟବର୍ଦ୍ଧନେ ଦଳକୁ ୩ଟି ଆଇପିଏଲ୍ ଟାଇଟଲ୍ ଜିତାଇଥିଲେ। ତେବେ ପ୍ରଶିକ୍ଷକ ଭାବେ ମାହେଲାଙ୍କ ୨ୟ ପାଳିରେ ଦଳର ପ୍ରଦର୍ଶନ ଭଲ ନଥିଲା। ୨୦୨୫ରେ ଏହା କ୍ବାଲିଫାୟର-୨ରେ ପରାସ୍ତ ହୋଇଥିବା ବେଳେ ୨୦୨୬ରେ ୯ମ ସ୍ଥାନରେ ରହିଥିଲା। ତେଣୁ ଦଳ ନୂଆ ପ୍ରଶିକ୍ଷକ ଖୋଜୁଛି।


