October 9, 2026

ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର ନୋଏଡା-ଜେୱର’ ରଖାଯିବ

1 min read

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଜେୱରଠାରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର ନୋଏଡା-ଜେୱର’ ରଖାଯିବ। ଏଥିପାଇଁ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳ ଶୁକ୍ରବାର ପ୍ରସ୍ତାବ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ମନ୍ତ୍ରିମଣ୍ଡଳ ବୈଠକ ପରେ ଏହି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମୁଖ୍ୟ ଭାବେ ୨୫ ବର୍ଷର ନିରବଚ୍ଛିନ୍ନ ଯାତ୍ରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଯୋଗୀ କହିଛନ୍ତି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାଠାରୁ ମୋଦୀ ରାଜ୍ୟ ବା କେନ୍ଦ୍ରରେ ସରକାରର ମୁଖ୍ୟ ରହିଆସିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ବିକାଶରେ ତାଙ୍କ ଭୂମିକାକୁ ପ୍ରଶଂସା କରିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଯାତ୍ରୀ ଚାପ କମାଇବା ଉଦ୍ଦେଶ୍ୟରେ ଜେୱର ବିମାନବନ୍ଦର ନିର୍ମାଣ କରାଯାଇଛି। ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଅବସ୍ଥିତ ଏହି ବିମାନବନ୍ଦର ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର। ଏହାର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୬ ମାର୍ଚ୍ଚ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ। ଜୁନ୍‌ ୧୫ରୁ ଏଠାରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରରେ ବର୍ଷକୁ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କ ଯାତାୟାତ ପରିଚାଳନା କରିବାର କ୍ଷମତା ରହିଛି। ଭବିଷ୍ୟତରେ ଏହାର ସମ୍ପ୍ରସାରଣ କରାଯାଇ ୨୦୫୦ ସୁଦ୍ଧା ବାର୍ଷିକ ୭ କୋଟି ଯାତ୍ରୀଙ୍କ ଯାତାୟାତ ପରିଚାଳନା କରିବାର ଯୋଜନା ରହିଛି। ଏହି ବିମାନବନ୍ଦର ଉତ୍ତର ଭାରତର ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।