ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏବଂ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା
1 min read
ନୂଆଦିଲ୍ଲୀ: ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏବଂ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନେଇ ଗୁରୁବାର ଆଲୋଚନା ହୋଇଛି। ଭାରତରେ ନବନିଯୁକ୍ତ ଜର୍ମାନ ରାଷ୍ଟ୍ରଦୂତ ଜାସ୍ପର ୱିକ୍ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ନେଇ ଆଲୋଚନା କରିଥିଲେ।ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉଭୟ ପକ୍ଷ ଭାରତ-ଜର୍ମାନୀ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ସହ ରଣନୈତିକ ସହଭାଗିତାକୁ ଗଭୀର କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ସମୟରେ ଜର୍ମାନୀର ଡ୍ରେସଡେନରେ ଭାରତୀୟ ସାମରିକ ଏକାଡେମୀର କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ନାଗେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତିନିଜଣିଆ ଭାରତୀୟ ପ୍ରତିନିଧି ଦଳ ଜର୍ମାନ ଆର୍ମି ଅଫିସର୍ସ ସ୍କୁଲ ଏବଂ ୩୭୧ ମେକାନାଇଜ୍ଡ ଇନ୍ଫ୍ୟାଣ୍ଟ୍ରି ବାଟାଲିୟନ ପରିଦର୍ଶନ କରିଛନ୍ତି। ଅକ୍ଟୋବର ୬ ଓ ୭ରେ ଅନୁଷ୍ଠିତ ଏହି ଗସ୍ତ ପ୍ରଶିକ୍ଷକ ବିନିମୟ କାର୍ଯ୍ୟକ୍ରମର ଅଂଶ ଥିଲା।ଏହି ଗସ୍ତ ମାଧ୍ୟମରେ ଉଭୟ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି,ପ୍ରଶିକ୍ଷଣରେ ଶ୍ରେଷ୍ଠ ପଦ୍ଧତିର ଆଦାନପ୍ରଦାନ ଏବଂ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା ଉପରେ ଜୋର ଦିଆଯାଇଛି।


