October 8, 2026

ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ନିମନ୍ତେ ଏକ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ ମୁଖ୍ୟତଃ ତିନୋଟି ପ୍ରମୁଖ ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକାରିତାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଗୁଣାତ୍ମକ ଶିକ୍ଷା- ଏହି ତିନୋଟି କ୍ଷେତ୍ର ମାଧ୍ୟମରେ ହିଁ ଏକ ମଜବୁତ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗଗୁଡ଼ିକୁ ଅଧିକ ତତ୍ପର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ ଏହି କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।