October 6, 2026

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ

1 min read

କଟକ, ୬।୧୦: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ପାରଳାଖେମୁଣ୍ଡି SDJM କୋର୍ଟରେ ବିଦ୍ୟାଭାରତୀଙ୍କ ହାଜର ହେବା ସମୟସୀମାକୁ ହାଇକୋର୍ଟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩ ତାରିଖର ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଏଥିସହ ଅକ୍ଟୋବର ୧ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟ ଯାଇଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବା ପାଇଁ ସୁଯୋଗ ଦେଇଥିଲେ। ଏହାପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ ପ୍ରକ୍ରିୟା ଚାଲିଥିବା ଦର୍ଶାଇ ବିଦ୍ୟାଭାରତୀଙ୍କ ଓକିଲ ହାଜର ସମୟସୀମା ବୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଯୁକ୍ତି ଶୁଣିବା ପରେ ହାଇକୋର୍ଟ ହାଜର ସମୟସୀମାକୁ ଅକ୍ଟୋବର ୩୦ ଯାଏ ବୃଦ୍ଧି କରିଥିବା ଜଣାପଡ଼ିଛି।