ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା
1 min read
ମୋହନା,୪ା୧୦: ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ ୩ ଜଣ ଆହତ ହୋଇଥିଲେ। ଶନିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଖବର ପାଇବା ପରେ ଅଡ଼ବା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ଏହି ସମୟରେ ଅଡ଼ବା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ ସ୍ବରାଗ୍ନିତା ମିଶାଲ ଓ ମନୋଜ କୁମାର ଶବର ଆହତଙ୍କୁ ତୁରନ୍ତ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଦୁର୍ଘଟଣାରେ ଶିକାର ହୋଇ ଆହତଙ୍କ ଜୀବନ ରକ୍ଷା ଓ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ନିଜର ସାହାସିକତା ଏବେ ଅଞ୍ଚଳରେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜରୁରୀ ସମୟରେ ପୋଲିସର ଏଭଳି ମାନବିକତା ସାଧାରଣ ଲୋକଙ୍କ ନିକଟରେ ଏକ ନୂତନ ଆଶା ବିଶ୍ୱାସ ସୃଷ୍ଟି କରିଛି। ଯାହାକୁ ନେଇ ଗଜପତି ଏସ୍ପି ନିଜେ ଉଭୟ ହୋମଗାର୍ଡଙ୍କ ଦାୟିତ୍ୱବୋଧ, ସାହସ ଓ ମାନବିକତାକୁ ପ୍ରଶଂସା କରିଥିବା ନେଇ ଦେଖିବାକୁ ମିଳିଛି। ଅପରପକ୍ଷେ ୩ ଗୁରୁତର ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସା ସମୟରେ ଗୁଲୁବା ପଞ୍ଚାୟତର ପ୍ରଭାକର ଜାନି ( ୩୬)ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।


