September 25, 2026

ଅଖିଳ ଭାରତ ଛାତ୍ର ସଙ୍ଘ ଓ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଶୁକ୍ରବାର ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ

1 min read

ଭୁବନେଶ୍ୱର: ଅଖିଳ ଭାରତ ଛାତ୍ର ସଙ୍ଘ ଓ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଶୁକ୍ରବାର ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶହଶହ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାଷ୍ଟର୍ କ୍ୟାଣ୍ଟିନ ଛକ ନିକଟରୁ ଶୋଭାଯାତ୍ରା ବାହାରକରି ବିଧାଧସଭା ଅଭିମୁଖେ ଅଗ୍ରସର ହୋଇଥିଲେ।

ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମରୁଡି, ଭିତ୍ତିଭୂମି ଅଭାବ ସହ ନେତୃତ୍ୱର ଭୃଣ ହତ୍ୟାର ନିରବଚ୍ଛିନ୍ନ ସରକାରୀ ଉଦ୍ୟମ ଜାରିରହିଛି। ଯାହାଫଳରେ ଗରିବ, ଦଳିତ, ଆଦିବାସୀ ଓ ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେଣୁ ଛାତ୍ର ସଂସଦ ନିର୍ବାଚନ ତାରିଖ ତୁରନ୍ତ ଘୋଷଣା, ସେଲ୍ଫ୍ ଫାଇନାନ୍ସିଂ ପାଠ୍ୟକ୍ରମକୁ ନିୟମିତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା, ଖାଲିଥିବା ଶିକ୍ଷକ ଓ ଶିକ୍ଷା-କର୍ମଚାରୀ ପଦବୀରେ ସ୍ଥାୟୀ ନିଯୁକ୍ତି, ସମସ୍ତ ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍, ଅବୈଜ୍ଞାନିକ ପାଠ୍ୟ ପୁସ୍ତକ ପ୍ରତ୍ୟାହାର, ସମସ୍ତଙ୍କ ପାଇଁ ନିଃଶୁଳ୍କ ଓ ଉନ୍ନତମାନର ହଷ୍ଟେଲ୍, ନିଯୁକ୍ତି ପାଇଁ “ଭଗତ ସିଂ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ” ପ୍ରଣୟନ, ବନ୍ଦ ପଡ଼ିଥିବା କୃଷିଭିତ୍ତିକ ଶିଳ୍ପର ପୁନରୁଦ୍ଧାର, ଆଉଟସୋର୍ସିଂ ଓ ଠିକା ନିଯୁକ୍ତି ଉଚ୍ଛେଦ ଓ ନିଶାମୁକ୍ତ ଓଡ଼ିଶା ଗଠନ ଆଦି ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଛାତ୍ର ଛାତ୍ରୀ ବିଧାନସଭା ଭିତରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ।

ବିଧାନସଭା ସମ୍ମୁଖରେ ଏଆଇଏସ୍ଏଫ୍‌ର ଜାତୀୟ ସାଧାରଣ ସମ୍ପାଦକ ଦିନେଶ ସିରଙ୍ଗରାଜ ଯୋଗ ଦେଇ ସମାବେଶକୁ ସମ୍ବୋଧନ କରି ବିଜେପି ସରକାରର ଶିକ୍ଷା ବିରୋଧୀ ନୀତି ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ବାନ କରିଥିଲେ। ଏହି ସମାବେଶ କୁ ଏଆଇଏସ୍ଏଫ୍ ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଓ ରାଜ୍ୟ ସମ୍ପାଦକ କାହ୍ନୁଚରଣ ପରିଡ଼ା ଓ ଏଆଇଓ୍ବାଇଏଫ୍ ର ରାଜ୍ୟ ସମ୍ପାଦକ କାମଦେବ ନାହାକ ଓ ମନୋରଞ୍ଜନ ସାହୁ ଉଦବୋଧନ ଦେଇ ସରକାରଙ୍କ ଯୁବଛାତ୍ର ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।