September 25, 2026

ଉପରମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି

1 min read

ଆରଡି: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆରିଆ ଯୋଗୁଁ ପୁଣି ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବିଶେଷକରି ଉପରମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ତଳମୁଣ୍ଡରେ ଵନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରକି ଧାମରା ସମୁଦ୍ର ମୁହାଣରୁ ଉଚ୍ଚ ଜୁଆର ଉଠୁଥିବାରୁ ଆରଡି ଲଞ୍ଚଘାଟ ଜେଠିରେ ଲଙ୍ଗର ପକାଇଥିବା ମାଛଧରା ବୋଟ୍ ଓ ଡଙ୍ଗା ମଧ୍ୟରୁ ୨ଟି ଡଙ୍ଗା ବୁଡି ଯାଇଥିବାରୁ ମତ୍ସଜିଵୀମାନେ ଉଦ୍ଧାର କରିଛନ୍ତି। ସେହିପରି ବୋଡକ ଓ ଷାଠିଵାଙ୍କୁଡା ନିକଟରେ ବୈତରଣୀ ନଦୀ କୂଳ ଲଙ୍ଘିଵାରୁ ପୁଣି ଆଖଣ୍ଡଳମଣି- କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ଯାତାୟତ ଠପ୍ ହୋଇଯିବା ସହ ୨୪ ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ଆରଡି ନିକଟ ସତସଙ୍ଗ ଘୋଷରା ଓ ମୁଁଆ ଘୋଷଣାରେ ବନ୍ୟାପାଣି ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତାହାସହ ଵୈତରଣୀ ନଦୀର ଓଳଗ, ଅମୃତମଣୀ, ଷାଠିଵାଙ୍କୁଡା, ମୁଁ ଆ ଗାଁ ନିକଟରେ ନଦୀବନ୍ଧ ଦୃଵଳ ଥିବାରୁ ଘାଇ ହେବାରୁ ଆଶଙ୍କା ଦେଖାଦେଇଛି। ଏହି ସ୍ଥାନରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ଵିମଲ ପ୍ରସାଦ ବେହେରା ଉପସ୍ଥିତ ରହି ବାଲି ଵସ୍ତା ପକାଉଥିବା ଦେଖାଦେଇଛି। ଏଥିସହ ବନ୍ୟା ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି, କୈଣସି ସ୍ଥାନରେ କିଛି ଅସୁବିଧା ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।