September 20, 2026

ଅଡବା ପୋଲିସକୁ ବଡ଼ ସଫଳତା

1 min read

ମୋହନା,୨୦।୯: ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ଶନିବାର ଦିନ ଅଡବା ଅଞ୍ଚଳର ରାସପେଟ, ଗାଲିମେରା ଓ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ଓ ଗଞ୍ଜେଇ ବିରୋଧୀ ଚଢ଼ାଉ ସମୟରେ ଗୁଲୁବା ଗ୍ରାମ ପଞ୍ଚାୟତ ଅଧୀନ ଗାଲିମେରା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ୪୩ଟି ପ୍ଲାଷ୍ଟିକ ଜରି ବ୍ୟାଗରେ ରଖାଯାଇଥିବା ୧,୦୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଜଣା ଦୁର୍ବୃତ୍ତମାନେ ଗଞ୍ଜେଇକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ଲୁଚାଇ ରଖିଥିଲେ । ଘଟଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଅବଗତ କରାଯିବା ପରେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଭୂୟାଁ ଘଟଣାସ୍ଥଳ ଉପସ୍ଥିତିରେ ସମସ୍ତ ବ୍ୟାଗ ଖୋଲାଯାଇ ଯାଞ୍ଚ କରାଯିବା ସହ ପ୍ରତ୍ୟେକ ବ୍ୟାଗର ଓଜନ କରାଯାଇ ମୋଟ ଓଜନ ୧,୦୭୫ କିଲୋଗ୍ରାମ ବୋଲି ଜଣାପଡ଼ିଥିଲା।

ପରେ ଏନ୍‌ଡିପିଏସ୍ ଆଇନର ବିଧିବିଧାନ ଅନୁଯାୟୀ ଜବତ ସାମଗ୍ରୀକୁ ସିଲ୍ କରାଯାଇଥିଲା। ଏହି ଘଟଣାରେ ଆଡ଼ବା ଥାନା ମାମଲା ନଂ. ୧୯୪/୨୦୨୬, ଧାରା ୨୦(ବି)(ii)(C), ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।