ଗଣମାଧ୍ୟମ ପୁଣି ଥରେ ନିଜର ବିଶ୍ବସନୀୟତା ବଜାୟ ରଖିବା ଜରୁରୀ:ମନ୍ତ୍ରୀ ନିତିନ ଗଡ଼କରୀ
1 min read
ନାଗପୁର: ଗଣମାଧ୍ୟମର ବିଶ୍ବସନୀୟତା ଉପରେ ସଙ୍କଟ ସୃଷ୍ଟି ହୋଇଛି। ଏହା ସବୁଠାରୁ ବଡ଼ ସମସ୍ୟା ପାଲଟି ଯାଇଛି। ଗଣମାଧ୍ୟମ ପୁଣି ଥରେ ନିଜର ବିଶ୍ବସନୀୟତା ବଜାୟ ରଖିବା ଜରୁରୀ। ଏହା ହିଁ ଏ ସମୟର ସବୁଠୁ ବଡ଼ ଆବଶ୍ୟକତା। ଏ ଦିଗରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଚାର କରିବା ଆବଶ୍ୟକ। ଗଣତନ୍ତ୍ରର ମଙ୍ଗଳ ପାଇଁ ସ୍ବାଧୀନ-ନିରପେକ୍ଷ ନ୍ୟାୟପାଳିକା ସହିତ ଗଣମାଧ୍ୟମ ବି ଜରୁରୀ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଟିପ୍ପଣୀ ଦେଇଛନ୍ତି। ସରକାରଙ୍କ ତୋଷାମଦ କରୁଥିବା ନେଇ ଅନେକ ଜାତୀୟ ଗଣମାଧ୍ୟମ ଉପରେ ବିରୋଧୀ ଅଭିଯୋଗ ଲଗାଉ ଥିବାବେଳେ ଗଡ଼କରୀଙ୍କ ଏହି ମନ୍ତବ୍ୟ ନିଆଁରେ ଘିଅ ଢାଳିଛି। ଶନିବାର ଆଇଆଇଏମ ନାଗପୁର ମିଡିଆ କନକ୍ଲେଭ-୨୦୨୬ରେ ‘ଗଣମାଧ୍ୟମ, ନେତୃତ୍ବ ଓ ନୂଆ ବିଶ୍ବ ବ୍ୟବସ୍ଥା’ ଉପରେ ଚର୍ଚ୍ଚା କରି ଗଡ଼କରୀ କହିଛନ୍ତି ଯେ ବିଚାର କିମ୍ବା ବିଚାରଧାରାରେ ମତଭେଦ ହୋଇପାରେ। ମାତ୍ର ନିଜ ବିଚାରଧାରା ପାଇଁ ପ୍ରତିବଦ୍ଧ ରହିବା ଜରୁରୀ। ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ କ୍ଷେତ୍ର ପାଇଁ ବିଶ୍ବସନୀୟତା, ସଦ୍ଭାବନା ଓ ସଚ୍ଚୋଟତା ଜରୁରୀ ହୋଇଥାଏ। ସବୁ କ୍ଷେତ୍ରରେ ବିଶ୍ବସନୀୟତା ହ୍ରାସ ପାଇଛି। ମାତ୍ର ଗଣମାଧ୍ୟମର ବିଶ୍ବସନୀୟତା ସର୍ବାଧିକ ହ୍ରାସ ପାଇଛି। ତେବେ ଏଥିରେ ସବୁ ଗଣମାଧ୍ୟମ ସଂସ୍ଥା ସାମିଲ ନାହାନ୍ତି। ନିର୍ବାଚନରେ କିଏ ଜିତିବ ତାହା ଧାର୍ଯ୍ୟ କରିବୁ ବୋଲି ଖବରକାଗଜ ଓ ଗଣମାଧ୍ୟମ ସଂସ୍ଥା କହି ଚାଲିଥିଲେ। ମାତ୍ର ସାମାଜିକ ଗଣମାଧ୍ୟମ ଏହାକୁ ବଦଳାଇ ଦେଇଛି।
ଯାହା ପାଖରେ ବିଶ୍ବସନୀୟତା ରହିଛି ତା’କୁ ନିଜର ପ୍ରଚାର କରିବାର ଆବଶ୍ୟକତା ପଡ଼େ ନାହିଁ। ସମାଜ ଓ ଦେଶହିତରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଗଡ଼କରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଗୁଣାତ୍ମକ ପରିବର୍ତ୍ତନ ଲାଗି ସାମ୍ବାଦିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଭଲ କାମ ସହିତ ଭଲ ସାମ୍ବାଦିକଙ୍କୁ ମଧ୍ୟ ପ୍ରଶଂସା କରିବା ଉଚିତ। ନିଜର ବିଶ୍ବସନୀୟତା ଓ ବୃତ୍ତିର ମୂଳ ମୂଲ୍ୟବୋଧ ରକ୍ଷା କରୁଥିବା ଲୋକେ ହିଁ ଆଗାମୀ ଦିନରେ ତିଷ୍ଠି ରହିପାରିବେ। ଗଣତନ୍ତ୍ରକୁ ମଜଭୁତ କରିବା, ସାମାଜିକ ଓ ରାଷ୍ଟ୍ରୀୟ ସ୍ବାର୍ଥ ସୁରକ୍ଷା ଓ ଜ୍ଞାନରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ଲାଗି ଗଡ଼କରୀ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି।


