September 4, 2026

ଜିଏସଏଲଭି-ଏଫ୧୭ ରକେଟ୍ ମାଧ୍ୟମରେ ‘ଇଓଏସ-୦୫’ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତକ୍ଷେପଣ କରିଛି

1 min read

ଶ୍ରୀହରିକୋଟା: ସେପ୍ଟେମ୍ବର ୪ ତାରିଖ ଭୋର ୩:୧୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜିଏସଏଲଭି-ଏଫ୧୭ ରକେଟ୍ ମାଧ୍ୟମରେ ‘ଇଓଏସ-୦୫’ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତକ୍ଷେପଣ କରିଛି। ପିଏସଏଲଭି ରକେଟର କ୍ରମାଗତ ଅସଫଳତା ପରେ ଇସ୍ରୋ ପାଇଁ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହାକୁ ମହାକାଶ କ୍ଷେତ୍ରରେ ଭାରତର ଆଉ ଏକ ବିଶାଳ ପଦକ୍ଷେପ ବୋଲି ଅଭିନନ୍ଦନ ଜଣାଇଛନ୍ତି।

ଚବିଶ ଘଣ୍ଟା କ୍ରମାଗତ ନଜର ରଖିବ
ପ୍ରାୟ ୨୩୭୬ କିଲୋଗ୍ରାମ ଓଜନର ଏହି ଆଧୁନିକ ଉପଗ୍ରହଟି ଭୂ-ସ୍ଥିର କକ୍ଷପଥରେ ସ୍ଥାପିତ ହୋଇ ସାରା ଭାରତୀୟ ସୂପକଣ୍ଟିନେଣ୍ଟ, ମହାସାଗର ଓ ସୀମାନ୍ତ ଅଞ୍ଚଳ ଉପରେ ଚବିଶ ଘଣ୍ଟା କ୍ରମାଗତ ନଜର ରଖିବ। ସାଧାରଣ ଉପଗ୍ରହଗୁଡ଼ିକ କେବଳ ସ୍ଥିର ଛବି ଦେଉଥିବା ବେଳେ ଇଓଏସ-୦୫ ଏକ ଜୀବନ୍ତ ‘ମୁଭି’ ଭଳି ନିରବଚ୍ଛିନ୍ନ ଭିଡିଓ ଫୁଟେଜ୍ ପ୍ରଦାନ କରିବ। ଏହା ଦ୍ୱାରା ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ପରିବେଶ ପରିବର୍ତ୍ତନ ଓ ନୌସେନା ସୁରକ୍ଷା କ୍ଷେତ୍ରରେ ବିପୁଳ ସହାୟତା ମିଳିପାରିବ। ୨୦୨୧ ମସିହାରେ ଜିଆଇଏସଏଟି-୧ ମିସନ୍ ଅସଫଳ ହେବା ପରେ ଏହି ସ୍ୱପ୍ନ ଅଧୁରା ରହିଥିଲା, ଯାହା ଆଜି ପୂରଣ ହୋଇଛି।