August 30, 2026

ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ

1 min read

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନର ଡାବରଚୁଆ ଗ୍ରାମ ଦୁଧିଆଚୁଆ ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମ ବଡ଼ପଶି ସାହିର ନୃସିଂହ ନାଏକଙ୍କ ନବଘନ ନାଏକ(୩୪) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଧାନ ଫସଲରେ ପଶିଥିବା ୨୦ ଟିକିଆ ହାତୀ ପଲଙ୍କୁ ଘଉଡ଼ାଇବା ସମୟରେ ନବଘନଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ। ବନ ବିଭାଗ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଘନଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ବନରକ୍ଷୀ ଦେବଯାନୀ ମହାନ୍ତ ଓ ପାରା କର୍ମଚାରୀ ମାନେ ହାତୀଙ୍କୁ ନଚିଡାଇବାକୁ ବାରଣ ସତ୍ତ୍ୱେ ଏଭଳି ଅଘଟଣ ଘଟିଛି। ଅନ୍ୟପକ୍ଷରେ ଗତକାଲି ଏହି ୨୦ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଉପଦ୍ରବ ଚଳାଇଥିଲେ। ହାତୀପଲକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଜାରି ରହିଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି।