August 14, 2026

ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା ଗୁରୁତର ଆହତ

1 min read

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁର ଜିତୁ ସାହୁଙ୍କ ସ୍ତ୍ରୀ ସୁଷମା ସାହୁ (୩୨) ଗୁରୁବାର ଅପରାହ୍ନରେ ନିଜ ସ୍ୱାମୀଙ୍କ ସହ ଏକ୍ସଏଲ୍ ବାଇକରେ ପଦ୍ମନାଭପୁର ଗ୍ରାମକୁ ଯାଉଥିଲେ। ସେହି ସମୟରେ ମେଡିକାଲ ଛକ ସାହାଣୀ ସାହି ନିକଟରେ ଥିବା ହମ୍ପସ୍‌ରେ ବାଇକଟି ଭାରସାହ୍ୟ ହରାଇବାରୁ ସୁଷମା ତଳେ ଖସିପଡ଼ିଥିଲେ। ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଗତ କିଛିଦିନ ତଳେ ସାହାଣୀ ସାହି ଛକରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସେହି ସ୍ଥାନରେ ଯାନବାହାନ ଗୁଡ଼ିକର ବେଗ ନିୟନ୍ତ୍ରଣ କରିବା ପାଇଁ ସାହି ବାସିନ୍ଦାଙ୍କ ଉଦ୍ୟମରେ ଏବଂ ପୂର୍ତ୍ତ ବିଭାଗ ଜାଣତରେ ୩ଟି ଉଚ୍ଚ ଧରଣର ହମ୍ପସ୍ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ହମ୍ପସ୍ ଗୁଡ଼ିକ କୌଣସି ବୈଷୟିକ କୌଶଳ ବିନା ଜମିହିଡ଼ ଭଳି ମୁଖ୍ୟ ରାସ୍ତାରେ ନିର୍ମିତ ହୋଇଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେଣୁ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ବେଆଇନ ହମ୍ପସ୍ ଗୁଡ଼ିକୁ ହଟାଇବା ପାଇଁ ସାଧାରଣରେ ଦୃଢ଼ ଦାବି ହୋଇଛି।