June 14, 2026

ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା

1 min read

ପାଟନା:ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି।ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା କରିଥିଲେ। ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ ଉପରକୁ ପଥରମାଡ଼ ସହ ଭଙ୍ଗାରୁଜା କରିଛନ୍ତି। ଏଥିରେ ପରୀକ୍ଷା ସ୍ପେଶାଲ୍ ଟ୍ରେନର କାଚ ଭାଙ୍ଗିଯାଇଛି। ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି। ଦୀର୍ଘ ସମୟ ଧରି ପାଟଲିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା।ଏଥିରେ ଆଇଜି ଜିତେନ୍ଦ୍ର ରଣା ସମେତ ଅନେକ ଥାନା ଇନଚାର୍ଜ ଆହତ ହୋଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲା ପ୍ରଶାସନ।

ସୂଚନାଯୋଗ୍ୟ ଯେ,ବିହାରରେ କେନ୍ଦ୍ରୀୟ ଚୟନ ପରିଷଦ ଦ୍ୱାରା ଆୟୋଜିତ ସିପାହୀ ଭର୍ତ୍ତି ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରବଳ ସଂଖ୍ୟାରେ ପରୀକ୍ଷାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ। ରବିବାର ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ।ଷ୍ଟେସନରେ ଟ୍ରେନ ଅଭାବ ଏବଂ ଟ୍ରେନଗୁଡ଼ିକ ବିଳମ୍ବ ହେତୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ହରାଇବାର ଭୟ କରୁଥିଲେ। ଫଳରେ ଛାତ୍ରମାନେ ଷ୍ଟେସନରେ ଧାରଣାରେ ବସି ହଙ୍ଗାମା କରିଥିଲେ। ଟ୍ରେନକୁ ପଥରମାଡ଼ କରିବା ସହ ଟ୍ରେନର କାଚ ସବୁ ଭାଙ୍ଗିଦେଇଥିଲେ। ପରିସ୍ଥିତି ଅତି ଗମ୍ଭୀର ହେବା ପରେ ପୋଲିସ ପ୍ରଥମେ ଲାଠିଚାର୍ଜ କରିଥିଲା। ଏହା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ପାଟନାର ଜିଲ୍ଲାପାଳ କହିଛନ୍ତି ଯେ,ପରୀକ୍ଷାର୍ଥୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ପେଶାଲ୍ ଟ୍ରେନର ବ୍ୟବସ୍ଥା କରାଯାଇଥିଲା। ମାତ୍ର କିଛି ଅସାମାଜିକ ଲୋକ ଛାତ୍ରମାନଙ୍କୁ ଉସୁକାଇ ହଙ୍ଗାମା କରିଥିଲେ। ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେବେ ଏହି ପରୀକ୍ଷା ପାଇଁ ୪୧୨୮ ପଦ ଖାଲିପଡିଥିବା ବେଳେ ଲିଖିତ ପରୀକ୍ଷା ୧୪ ଜୁନ୍ ରୁ ୧୭ ଜୁନ ଯାଏଁ ଆୟୋଜିତ ହେଉଛି।ଦୁଇଟି ସିଫ୍ଟରେ ପରୀକ୍ଷା ହେଉଛି।ତେଣୁ ଷ୍ଟେସନରେ ଏତେମାତ୍ରାରେ ଭିଡ଼ ଲାଗି ରହିଥିଲା।