June 13, 2026

ନବରଙ୍ଗପୁର ଜିଲ୍ଲାରେ ମହିଳାଙ୍କ ନେତୃତ୍ବରେ ଦେଶୀମଦ ବନ୍ଦ ଆନ୍ଦୋଳନ

1 min read

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମହିଳାଙ୍କ ନେତୃତ୍ବରେ ଦେଶୀମଦ ବନ୍ଦ ଆନ୍ଦୋଳନ ଗାଁକୁ ଗାଁ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଡାବୁଗାଁ ବ୍ଲକ୍‌ ନୂଆକୋଟ ଗାଁର ଶତାଧିକ ମହିଳା କାଦମ୍ବିନୀ ତ୍ରିପାଠୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏହି ମର୍ମରେ ଦାବିପତ୍ର ଦେବା ପାଇଁ ଆସିଥିଲେ। ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ମହିଳାମାନେ ଅଡ଼ି ବସିଥିଲେ। ନଚେତ ଅତିରିକ୍ତ ଜିଲ୍ଲାପାଳ ଆସି ଗ୍ରହଣ କରିବାକୁ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଆସିବାରେ ବିଳମ୍ବ ହେବାରୁ ଦାବିପତ୍ର ଦେବା ଲାଗି ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ।

ପୁଲିସ ସେମାନଙ୍କୁ ଅଟକାଇବାରୁ କିଛି ସମୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା। ସରକାର ଓ ପ୍ରଶାସନ ବିରୋଧରେ ନାରା ଦେଇଥିଲେ ଆନ୍ଦୋନକାରୀ ମୁନା ତ୍ରିପାଠୀ। ଏସଆଇ ସୀମା ଲାକ୍ରା, ଅବକାରୀ ଇନ୍‌ସପେକ୍ଟର ଦିଲ୍ଲୀପ ରଥ ମହିଳାଙ୍କୁ ବୁଝାସୁଝା କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଅବକାରୀ ଅଧୀକ୍ଷକ ପ୍ରତାପ କୁମାର ଦାଶ, ଥାନା ଅଧିକାରୀ ସମ୍ବିତ କୁମାର ବେହେରା ମହିଳାଙ୍କ ନିକଟକୁ ଆସି ଆଲୋଚନା କରିଥିଲେ। ନୂଆକୋଟ ପଞ୍ଚାୟତରେ ଚଢ଼ଉକୁ ଜୋରଦାର କରି ଦେଶୀମଦ ରନ୍ଧା ବନ୍ଦ କରାଯିବ ବୋଲି ପ୍ରତି‌ଶ୍ରୁତି ଦେଇଥିଲେ। ସେହିପରି ପାପଡ଼ାହାଣ୍ଡି ବ୍ଲକ୍‌ର ଗାଦବାକତରା ଗାଁର ମହିଳା ରାଜେଶ ଜାନୀଙ୍କ ନେତୃତ୍ବରେ ଆସି ଧାରଣା ଦେଇଥିଲେ। ଦାବିପତ୍ରକୁ ଅବକାରୀ ଇନ୍‌ସପେକ୍ଟର ଗ୍ରହଣ କରିଥିଲେ।