June 1, 2026

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶରେ ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି

1 min read

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶରେ ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି। ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ୪୨ ଟଙ୍କା ବୃଦ୍ଧି ପାଇଛି। ୫ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦର ୧୧ ଟଙ୍କା ବଢ଼ିଛି। ଏହି ଦରବୃଦ୍ଧି ପରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୩୧୧୩ଟଙ୍କାକୁ ଓ ୫ କେଜିଆ ସିଲିଣ୍ଡର ଦାମ୍‌ ୮୨୧.୫୦ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ସାଧାରଣ ପରିବାରର ରୋଷେଇ ଘରେ ବ୍ୟବହାର କରାଯାଉଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୯୧୩ ଟଙ୍କାରେ ଅପରିବର୍ତ୍ତିତ ରହିଛି। ତୈଳ କମ୍ପାନିଗୁଡ଼ିକ ପ୍ରତି ମାସ ୧ ତାରିଖରେ ଏଲ୍‌ପିଜି ଦାମ୍‌ରେ ସଂଶୋଧନ କରୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୮ରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବାଣିଜ୍ୟିକ ଏଲ୍‌ପିିଜି ଦାମ୍‌ରେ ଚତୁର୍ଥ ଥର ବୃଦ୍ଧି ହୋଇଛି। ଗତ ମେ ୧ରେ ଏହି ସିଲିଣ୍ଡର ଦାମ୍‌ରେ ଗୋଟିଏ ଥରରେ ୯୯୩ ଟଙ୍କା ବଢ଼ିଥିଲା। ତା ପୂର୍ବରୁ ଏପ୍ରିଲ୍‌ରେ ୧୯୫ ଟଙ୍କା ୫୦ ପଇସା ବଢ଼ିଥିଲା। ମାର୍ଚ୍ଚ ୭ରେ ଦାମ୍‌ ୧୧୫ ଟଙ୍କା ବଢ଼ିଥିଲା। ଯୁଦ୍ଧ ପରଠାରୁ ୫ କେଜିଆ ସିଲିଣ୍ଡର ମଧ୍ୟ ଲଗାତାର ଭାବେ ମହଙ୍ଗା ହେବାରେ ଲାଗିଛି। ଗତ ମେରେ ଏହାର ଦାମ୍‌ ୨୬୧ ଟଙ୍କା ଓ ଏପ୍ରିଲ୍‌ରେ ୫୧ ଟଙ୍କା ବଢ଼ିଥିଲା। ୫ କେଜିଆ ସିଲିଣ୍ଡର ମହଙ୍ଗା ହେବା ଦ୍ବାରା ପ୍ରବାସୀ ଶ୍ରମିକ, ବାହାରେ ରହି ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଚିନ୍ତା ବଢ଼ିଯାଇଛି। ବାଣିଜ୍ୟିକ ଏଲ୍‌ପିଜି ମହଙ୍ଗା ହୋଇଥିବାରୁ ବାହାରେ ଖାଇବା ଏବଂ ହୋଟେଲ୍‌ ଓ ରେସ୍ତୋରାଁରେ ଭୋଜନ ମହଙ୍ଗା ହେବ।

ଗ୍ୟାସ୍‌ ଦରବୃଦ୍ଧି ପରେ ମୋଦୀ ସରକାରଙ୍କୁ ବିରୋଧୀ ଦଳ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ କହିଛି ଯେ ‘ମହଙ୍ଗା ମଣିଷ’ ମୋଦୀ ପୁଣି ଥରେ ୫ କେଜିଆ ଛୋଟ ସିଲିଣ୍ଡର ଦାମ ବଢ଼ାଇଛନ୍ତି। ମାସକ ଭିତରେ ତାହାର ଦାମ୍‌ ୨୭୨ ଟଙ୍କା ବଢ଼ିଛି। ପ୍ରଥମେ ‘ମହଙ୍ଗା ମଣିଷ’ ଲୋକମାନଙ୍କୁ ଛୋଟ ସିଲିଣ୍ଡର କିଣିବାକୁ କହିଲେ। ଏବେ ସେଥିରୁ ଅସୁଲି ଆରମ୍ଭ କରିଦେଇଛନ୍ତି। ସେହିପରି ଗତ ପାଞ୍ଚ ମାସରେ ୧୯ କେଜିଆ ସିଲିଣ୍ଡର ଦାମ ୧୫୭୧ ଟଙ୍କା ବୃଦ୍ଧି ପାଇଛି। ବର୍ଷ ଶେଷ ହେବାକୁ ଆହୁରି ଅଧିକ ସମୟ ଅଛି। ମୋଦୀଙ୍କ ଅସୁଲି ଜାରି ରହିଛି ବୋଲି କଂଗ୍ରେସ କହିଛି।