ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ
1 min read
ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଝାରସୁଗୁଡ଼ା, ସମ୍ବଲପୁର ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାରେ ତାତିର ସ୍ଥିତି ଭୟଙ୍କର ରହିବ। ଏଣୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ରେ ବି ଗ୍ରୀଷ୍ମ ଲହରି ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ସମ୍ବଲପୁର ଓ ବଲାଙ୍ଗୀରରେ ରାତିରେ ବି ତାତିରୁ ନିସ୍ତାର ନାହିଁ। ବାଲେଶ୍ବର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଗରମ ଓ ଗୁଳୁଗୁଳି ସ୍ଥିତିକୁ ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୫ ତାରିଖ ଯାଏଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନାନୁସାରେ, ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ଓଡ଼ିଶାକୁ ବହିବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଶୁଷ୍କ ଓ ଗରମ ପଶ୍ଚିମା ପବନ ଆହୁରି କିଛି ଦିନ ବହିବାର ଆଶଙ୍କା ରହିଥିବାରୁ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରି ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୪୫ ଡିଗ୍ରି ଉପରକୁ ଯାଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।


