ବିଜୟଙ୍କ ମହାବିଜୟ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା ଓଲିଉଡ୍ ତାରକାଙ୍କ ନେତୃତ୍ବ ନେବାର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି
1 min read
ଭୁବନେଶ୍ବର : ତାମିଲନାଡୁ ରାଜନୀତିରେ ଦ୍ରାବିଡ଼ ଦଳର ଦୁର୍ଗକୁ ଭାଙ୍ଗି ସୁପରଷ୍ଟାର ସି. ଜୋସେଫ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଏହା ପ୍ରମାଣ କରିଛନ୍ତି, ଜଣେ ଅଭିନେତା ଦୃଢ଼ ଇଚ୍ଛାଶକ୍ତି ଏବଂ ସ୍ବତନ୍ତ୍ର ରଣନୀତି ବଳରେ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ପାରମ୍ପରିକ ରାଜନୈତିକ ସମୀକରଣକୁ ବଦଳାଇ ପାରିବ। ବିଜୟଙ୍କ ମହାବିଜୟ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା ଓଲିଉଡ୍ ତାରକାଙ୍କ ନେତୃତ୍ବ ନେବାର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
ଓଡ଼ିଶା ରାଜନୀତିରେ ସିନେ ତାରକାଙ୍କ ପ୍ରବେଶ କୌଣସି ନୂଆ କଥା ନୁହେଁ। ଅନୁଭବୀ ଅଭିନେତା ତଥା ନିର୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତା ବିଜୟ ମହାନ୍ତି, ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ଠାରୁ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ପପୁ ପମ୍ପମ୍ଙ୍କ ପର୍ଯ୍ୟନ୍ତ ଅନେକ ନାୟକ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ବିଜୟଙ୍କ ମହାବିଜୟ ଏବଂ ଓଡ଼ିଶାର ସିନେ-ନେତାଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ବିଜୟ ନିଜେ ଏକ ନୂଆ ବିକଳ୍ପ ସାଜିଲେ, କିନ୍ତୁ ଓଡ଼ିଶାର କଳାକାରମାନେ କେବଳ ପ୍ରତିଷ୍ଠିତ ଦଳଗୁଡ଼ିକର ‘ଷ୍ଟାର୍ ପାୱାର’ ବଢ଼ାଇବା ପାଇଁ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ସିନେ-ତାରକାମାନେ ରାଜନୈତିକ ଦଳ ପାଇଁ କେବଳ ‘କ୍ରାଉଡ ପୁଲର’ ବା ଭିଡ଼ ଜମାଉଥିବା ଚେହେରା ହୋଇ ରହିଯାଉଛନ୍ତି। ସେମାନଙ୍କର ନିଜସ୍ବ କୌଣସି ରାଜନୈତିକ ଏଜେଣ୍ଡା କିମ୍ବା ସ୍ବତନ୍ତ୍ର ବିଚାରଧାରା ଦେଖିବାକୁ ମିଳୁନାହିଁ। ତାମିଲନାଡୁରେ ବିଜୟ ନିଜର ଏକ ସ୍ବତନ୍ତ୍ର ଦଳ (ଟିଭିକେ – ତାମିଲଗା ଭେଟ୍ରି କାଝାଗାମ) ଗଠନ କରି ଲୋକଙ୍କ ସହ ଯୋଡ଼ି ହେଲେ। ବର୍ଷ ବର୍ଷ ଧରି ସେମାନଙ୍କ ସୁଖ-ଦୁଃଖରେ ସାମିଲ ହୋଇଥିଲେ। କିନ୍ତୁ ଓଡ଼ିଶାରେ ଅଧିକାଂଶ ଅଭିନେତା ନିର୍ବାଚନର ଠିକ୍ ପୂର୍ବରୁ ଦଳ ବଦଳ କରିବା କିମ୍ବା ନୂଆ ଦଳରେ ଯୋଗ ଦେବାର ଦେଖାଯାଏ, ଯାହା ସେମାନଙ୍କ ଗମ୍ଭୀରତା ଉପରେ ପ୍ରଶ୍ନ ଚିହ୍ନ ଲଗାଏ।


