ମଧ୍ୟପ୍ରାଚ୍ୟ ଯୁଦ୍ଧର ବଡ଼ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ
1 min read
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ବଡ଼ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ। ୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୦.୮ ପ୍ରତିଶତ ଖସି ୬ ପ୍ରତିଶତରେ ରହିବ। ମୁଡିସ୍ ରେଟିଙ୍ଗ୍ସ ପକ୍ଷରୁ ମଙ୍ଗଳବାର ଏହି ପୂର୍ବାନୁମାନ କରାଯାଇଛି।
ମେ ମାସ ପାଇଁ ଆମେରିକୀୟ ସଂସ୍ଥା ମୁଡିସ୍ ରେଟିଙ୍ଗସ୍ ପ୍ରକାଶ କରିଥିବା ବିଶ୍ବ ଅର୍ଥନୀତିର ଦୃଶ୍ୟପଟରେ କୁହାଯାଇଛି ଉଚ୍ଚା ଇନ୍ଧନ ଦର ସହିତ ସାରର ଅଭାବ ବିଶ୍ବର ବିଭିନ୍ନ ଦେଶକୁ ଆସନ୍ତା ୬ ମାସ ମଧ୍ୟରେ ଭିନ୍ନ ଭିନ୍ନ ମାତ୍ରାରେ ପଭ୍ରାବିତ କରିବ। ବିଶ୍ବ ଦୃଶ୍ୟପଟ ଅତ୍ୟନ୍ତ ଅନିଶ୍ଚିତ ରହିଛି। ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ସ୍ଥାୟିତ୍ବକୁ ନେଇ ଆଶଙ୍କା ରହିଛି। ତେଣୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୦.୮ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି। ୨୦୨୭ ମସିହା ପାଇଁ ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧି ୦.୫ ପ୍ରତିଶତ ହ୍ରାସ ପାଇ ୬ ପ୍ରତିଶତ ସ୍ତରରେ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି।
ଅଶୋଧିତ ତେଲ ଏବଂ ଏଲ୍ଏନ୍ଜି ଆମଦାନି ଉପରେ ଅତ୍ୟଧିକ ମାତ୍ରାରେ ନିର୍ଭରଶୀଳ ରହିବା କାରଣରୁ ଭାରତର ଅର୍ଥନୀତି ବିଶେଷ ଭାବେ ଦୁର୍ବଳ ରହିଛି ବୋଲି ଏହି ସଂସ୍ଥା କହିଛି। ଭାରତ ଏହାର ଶକ୍ତି ଆବଶ୍ୟକତାର ୯୦ ପ୍ରତିଶତ ଆମଦାନି ଜରିଆରେ ପୂରଣ କରୁଛି। ଖାଦ୍ୟଶସ୍ୟ ଉତ୍ପାଦନରେ ଭାରତ ଏକ ବଳକା ଦେଶ। କୃଷି ସାମଗ୍ରୀର ରପ୍ତାନି ନିକଟ ଭବିଷ୍ୟତରେ ଭାରତକୁ ଲାଭ ପହଞ୍ଚାଇବ। କିନ୍ତୁ ଇନ୍ଧନ ଏବଂ ସାରର ଉଚ୍ଚା ଦର ସରକାରଙ୍କ ରାଜସ୍ବକୁ ପ୍ରଭାବିତ କରିବ। ବିଶେଷକରି ଯୋଜନା ବ୍ୟୟକୁ ସଙ୍କୁଚିତ କରିବ। ଅଣଜୀବାଶ୍ମ ଇନ୍ଧନ ଯଥା ସୌର, ପବନ ଏବଂ ଜଳ ଭଳି ଉତ୍ସରୁ ଶକ୍ତି ଉତ୍ପାଦନ ବଢ଼ୁଥିଲେ ମଧ୍ୟ ଭାରତର ପ୍ରାୟ ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲାରୁ ହେଉଛି।


