ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଛି।
1 min read
ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଛି। ଫଳରେ ଅଟୋରେ ଥିବା ୧୦ରୁ ଊର୍ଦ୍ଧ୍ୱ ମହିଳା ଆହତ ହୋଇଛନ୍ତି। ନନ୍ଦପୁର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଇଚ୍ଛାବତୀ ନାୟକ (୬୨) ଓ ଇଶା ଖିଲ (୧୪)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି କୋରାପୁଟ ଏସ୍ଏଲ୍ଏନ୍ଏମ୍ସି ସ୍ଥାନାନ୍ତର କରାଯାଇଛି। ପୋଲିସ ଅଟୋକୁ ଘଟଣାସ୍ଥଳରୁ ଉଦ୍ଧାର କରି ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ ଲାମଡ଼ା ଗ୍ରାମରୁ ଉକ୍ତ ଯାତ୍ରୀବାହୀ ଅଟୋ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଧରି ନନ୍ଦପୁର ଭିତରଗଡ଼କୁ ଅଦା ରୋପଣ କାର୍ଯ୍ୟ କରାଇବା ପାଇଁ ଧରି ଆସୁଥିଲା। ହାଟପଦା ଗଡ଼ାଣି ଓ ମୋଡ଼ ନିକଟରେ ହଠାତ ସମ୍ମୁଖକୁ ଏକ ବାଇକ୍ ଆସିବାରେ ଅଟୋଟି ତୁରନ୍ତ ବ୍ରେକ୍ ମାରି ଓଲଟି ପଡ଼ିଥିଲା। ବାଇକରେ ଥିବା ଛାପରାମ ଗ୍ରାମର ଦାନ ସୀସା (୪୫)ଙ୍କ ସମେତ ଅଟୋରେ ଥିବା ଇଶା ଖିଲ (୧୪) ତୁଳାବତି ନାୟକ (୬୦), ଚାନ୍ଦକରଣ ନାୟକ (୫୦), ଦୀପାଳି ଖିଲ (୧୪) ଭଗବତୀ ହନ୍ତାଳ (୪୦), କମଳା ନାୟକ (୫୯), ଲକ୍ଷ୍ମୀ ଖିଲ (୨୦), ରାମ ମଣ୍ଡଳ ନାୟକ ପ୍ରମୁଖ ଆହତ ହୋଇଥିଲେ।


