ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ
1 min read
ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର ଥଲପତି ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ’ (TVK) ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଯଦିଓ ଦଳ ବହୁମତ ସଂଖ୍ୟାଠାରୁ ସାମାନ୍ୟ ଦୂରରେ ରହିଛି, ତଥାପି ବିଜୟ ଏବେ ସରକାର ଗଠନ କରିବା ସ୍ଥିତିରେ ନଜର ଆସୁଛନ୍ତି।
ତାମିଲନାଡୁର ୨୩୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୮ଟି ଆସନ ଆବଶ୍ୟକ। ବିଜୟଙ୍କ ଦଳ TVK ୧୦୮ଟି ଆସନ ଜିତିବାରେ ସଫଳ ହୋଇଛି, ଯାହା ବହୁମତ ଆକଳନଠାରୁ ମାତ୍ର ୧୦ କମ। ଅନ୍ୟପଟେ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳର ସମର୍ଥନ ମିଳିଲେ ବିଜୟ ସହଜରେ ସରକାର ଗଠନ କରିପାରିବେ ବୋଲି ଚର୍ଚ୍ଚା ହେଉଛି।
ନିର୍ବାଚନ ଫଳାଫଳ ପରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ପୂର୍ବରୁ ବିଜୟଙ୍କ ପିତା ଚନ୍ଦ୍ରଶେଖର କଂଗ୍ରେସ ସହ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ନିର୍ବାଚନ ପୂର୍ବରୁ ତାହା ସମ୍ଭବ ହୋଇପାରି ନ ଥିଲା। ଏବେ କଂଗ୍ରେସର ୫ ଆସନ ଏବଂ ଅନ୍ୟ ବାମପନ୍ଥୀ ଦଳଙ୍କ ସହଯୋଗ ମିଳିଲେ ବିଜୟଙ୍କ ପାଖରେ ମୋଟ ୧୧୯ ବିଧାୟକଙ୍କ ସମର୍ଥନ ରହିବ, ଯାହା ବହୁମତ ପାଇଁ ଯଥେଷ୍ଟ।
ବିଜୟ ରାଜ୍ୟପାଳଙ୍କୁ ଇ-ମେଲ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସବୁଠାରୁ ବଡ଼ ଦଳ ଭାବେ TVK କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିସହିତ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ସେ ଦୁଇ ସପ୍ତାହ ସମୟ ମଧ୍ୟ ମାଗିଛନ୍ତି।
ମଙ୍ଗଳବାର ବିଜୟ ନବ ନିର୍ବାଚିତ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଠାରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଏହା ସ୍ପଷ୍ଟ କରୁଛି ଯେ ବିଜୟ ହିଁ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏବେ ସମସ୍ତଙ୍କ ନଜର ବହୁମତ ସାବ୍ୟସ୍ତ ଉପରେ ରହିଛି, ଯେଉଁଥିପାଇଁ ବିଭିନ୍ନ ଦଳ ସହ ଅନୌପଚାରିକ ଆଲୋଚନା ଜାରି ରହିଛି।


