June 10, 2026

ରାଜସ୍ଥାନର ଚୁରୁ ଜିଲ୍ଲାରେ ଗୁରୁବାର ବିଳମ୍ଵିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା

1 min read

ଚୁରୁ: ରାଜସ୍ଥାନର ଚୁରୁ ଜିଲ୍ଲାରେ ଗୁରୁବାର ବିଳମ୍ଵିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ବିବାହର ଖୁସି ଶୋକରେ ପରିଣତ ହୋଇଛି। ଏକ ବୋଲେରୋ ଗାଡ଼ି ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡ଼ିରେ ନିଆଁ ଲାଗି ୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୀଡ଼ିତାମାନେ ଚୁରୁରୁ ପିଲାନି ଅଞ୍ଚଳକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଜୟପୁରର ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ଅତ୍ୟଧିକ ବେଗ କିମ୍ବା ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ବର୍ତ୍ତମାନ ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।