ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟ ବାଷ୍ପ ଯୋଗୁଁ ଅସହ୍ୟ ଗୁଳୁଗୁଳି ଜାରି ରହିବ
1 min read
ଭୁବନେଶ୍ୱର: ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଜାରି ରହିବ। ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ ଗରମ ଅନୁଭୂତ ହେବ। ସେହିପରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ୍ ରହିବ, କିନ୍ତୁ କାଳବୈଶାଖୀ ସମ୍ଭାବନା ଅଛି। ସୋମବାର ଦିନ ବେଳା ୧୪ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଥିଲା। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଥିବା ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଭଦ୍ରକ, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ଅଛି। ସେହିପରି ପୁରୀ, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲାରେ ମଧ୍ୟ କାଳବୈଶାଖୀ ଆଶଙ୍କା ରହିଛି।
ଦିନ ବେଳା ଗରମ ସହ ରାତିରେ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡ଼ିଶା, ବିଶେଷକରି ଝାରସୁଗୁଡ଼ାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମସ୍ତ ଜିଲାରେ ଅଧିକ ତାତି ଅନୁଭୂତ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଉପକୂଳ ଓଡ଼ିଶା ଏବଂ ରାଜଧାନୀ ଅଞ୍ଚଳ (ଭୁବନେଶ୍ୱର ଓ କଟକ) ରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟ ବାଷ୍ପ ଯୋଗୁଁ ଅସହ୍ୟ ଗୁଳୁଗୁଳି ଜାରି ରହିବ।


