March 7, 2026

ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

1 min read

ବ୍ୟାସନଗର: ଶୁକ୍ରବାର ବିଳମ୍ବିତ ରାତିରେ ସହରର ଚୋରଦା ଛକଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯାଜପୁର ରୋଡ଼ ଶାଖାରୁ ଲୁଟ ଉଦ୍ୟମ ହୋଇଛି। ଜଣେ ଦୁର୍ବୃତ୍ତ ବ୍ୟାଙ୍କର ଝରକା କାଟି ଭିତରକୁ ପ୍ରବେଶ କରି ଲୁଟ ଉଦ୍ୟମ କରିଥିବା ଘଟଣା ସିସିଟିଭି ଫୁଟେଜରୁ ଆଜି ଜଣାପଡ଼ିବା ପରେ ବ୍ୟାଙ୍କ ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରାଯାଇଛି। ଥାନା ଅଧିକାରୀ ଆଶିଷ କୁମାର ସାହୁ ସଦଳବଳେ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ ଯାଞ୍ଚ୍‌ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ସଂଗ୍ରହ କରିଥିଲା। ତେବେ ବ୍ୟାଙ୍କରୁ କିଛି ଚୋରି ହୋଇନଥିବା ଜଣାପଡ଼ିଥିବା ବେଳେ ବ୍ୟାଙ୍କ ନିକଟରେ ଥିବା ବିଶ୍ବକର୍ମା ଲେଦ୍‌ରୁ କିଛି ଯନ୍ତ୍ରାଂଶ ଚୋରି ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଜାରି ରହିଛି। ସକାଳେ ବ୍ୟାଙ୍କ ଖୋଲାଯିବା ପରେ ଜଣେ କର୍ମଚାରୀ ଚୋରି ସମ୍ପର୍କରେ ଜାଣିପାରି ବ୍ୟାଙ୍କ ମ୍ୟାନେଜରଙ୍କୁ ଅବଗତ କରିଥିଲେ। ଏହାପରେ ସିସିଟିଭି ଫୁଟେଜ୍‌ରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ସେମାନେ ଥାନାକୁ ଖବର ଦେଇଥିବା ଶ୍ରୀ କହିଛନ୍ତି।