December 29, 2025

ବରଗଡ଼ ଧନୁଯାତ୍ରାରେ ହାତୀ ବ୍ୟବହାର

1 min read

ବରଗଡ଼ : ବରଗଡ଼ ଧନୁଯାତ୍ରାରେ ନାୟକ କଂସ ମହାରାଜାଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ ଏଥିପାଇଁ ବହୁ ବର୍ଷ ହେଲା ହାତୀର ସାହାଯ୍ୟ ନିଆଯାଇଥାଏ।

ଯଦିଓ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଧନୁଯାତ୍ରାରେ ହାତୀ ବ୍ୟବହାର ହେଉ ନ ଥିଲା ତେବେ ପରବର୍ତ୍ତୀ ବର୍ଷମାନଙ୍କରେ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଷାଠିଏ ଦଶକରୁ ହାତୀ ବ୍ୟବହାର କରାଯାଉଛି।

କିଛି ବର୍ଷ ହେବ ହାତୀ ସହିତ ଓଟ, ଘୋଡ଼ା ଗାଡ଼ି ମଧ୍ୟ ବ୍ୟବହାର କରାଯାଉଛି। ସାଧାରଣତଃ ପୂର୍ବ ଭାରତରେ ବନାରସ ସହରରୁ ହାତୀ ଭଡ଼ାରେ ବିଭିନ୍ନ ସ୍ଥାନକୁ ଆସିଥାଏ। ଏହି କ୍ରମରେ ବରଗଡ଼କୁ ମଧ୍ୟ ମୁଖ୍ୟତଃ ଏହି ଅଞ୍ଚଳରୁ ଯାତ୍ରା ପାଇଁ ହାତୀ ଆସୁଛନ୍ତି। କଂସଙ୍କ ନଗର ଭ୍ରମଣକୁ ଆକର୍ଷଣୀୟ କରିବା ପାଇଁ ହାତୀକୁ ସୁସଜ୍ଜିତ ମଧ୍ୟ କରାଯାଏ।

ପୂର୍ବରୁ ଏଥିରେ ସିଧାସଳଖ ମହାରାଜ ଚଢ଼ୁଥିବାବେଳେ ଏବେ ଏଥିପାଇଁ ଏକ ଲୁହାର ସିଢ଼ି ମଧ୍ୟ ବ୍ୟବହାର କରାଯାଉଛି। କଂସ ମହାରାଜାଙ୍କ ସହିତ ଧନୁଯାତ୍ରାର ବିଭିନ୍ନ ଦିବସରେ ଆସୁଥିବା ଅତିଥିମାନଙ୍କୁ ସ୍ଥାନୀୟ ରାଜପଥ ଅତିଥି ନିବାସରୁ ହାଟପଦା ଓ ଲୋକମଣ୍ଡପ ପଡ଼ିଆରେ ଥିବା କଂସ ମଞ୍ଚକୁ ନିଆଯାଇଥାଏ। ତେବେ ସତୁରି ଦଶକର ପ୍ରାରମ୍ଭରେ ଗୋଟିଏ ବର୍ଷ ହାତୀ ବଦଳରେ ଜିପ୍‌ର ମଧ୍ୟ ବ୍ୟବହାର ହୋଇଥିଲା। ଏହି ବର୍ଷ ଜିପ୍‌ ଉପରେ ଏକ ସୁସଜ୍ଜିତ ସିଂହାସନ ଲଗାଯାଇ ଏଥିରେ କଂସ ସହର ପରିକ୍ରମା କରୁଥିଲେ। ଅନେକ ସମୟରେ ହାତୀ ଖୋଜିବାରେ ଆୟୋଜକମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଏପରିକି ଆବଶ୍ୟକ ହେଲେ ଆୟୋଜକମାନେ ସହର ସହର ବୁଲି ମଧ୍ୟ ହାତୀ ଖୋଜିଥାନ୍ତି। କିଛି ବର୍ଷ ତଳେ ପ୍ରାୟ ଶେଷ ପର୍ଯ୍ୟନ୍ତ ହାତୀ ମିଳି ନଥିଲା ଏବଂ ଯାତ୍ରା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ହିଁ ବଲାଙ୍ଗିରରୁ ବୁଲୁଥିବା ଏକ ହାତୀକୁ ଠିକ କରି ଅଣାଯାଇଥିଲା।

ପୂର୍ବରୁ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଏଥିପାଇଁ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ସାଧାରଣତଃ ଧନୁଯାତ୍ରା ପାଇଁ କଂସ ମହାରାଜାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଏବଂ ପାଟମନ୍ତ୍ରୀଙ୍କ ପାଇଁ ଆଉ ଏକ ହାତୀର ଆବଶ୍ୟକ ପଡ଼ିଥାଏ।