December 29, 2025

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ

1 min read

ଭଞ୍ଜନଗର: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁଯୋଗ ଏବଂ ତାଲିମ ଦିଆଯାଉଛି। ଧାନର ଇନପୁଟ୍‌ ସହାୟତା ରାଶି ବୃଦ୍ଧି ପାଇଛି। ତେଣୁ ଚାଷ କାର୍ଯ୍ୟ ପ୍ରତି ପୂର୍ବ ଅପେକ୍ଷା ଚାଷୀଙ୍କ ଆଗ୍ରହ ବଢ଼ିଛି। କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ତାହାର ଉପଯୁକ୍ତ ବଜାର ଓ ବିକ୍ରି ପାଇଁ ପଦକ୍ଷେପ ଲୋଡ଼ା। ତେଣୁ ସରକାରଙ୍କ ପକ୍ଷରୁ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯିବା ସହ ଅଧିକ ଜ୍ଞାନ ଆହରଣ ପାଇଁ ଅନ୍ୟ ଅଞ୍ଚଳକୁ ପରିଦର୍ଶନରେ ନିଆଯାଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ ଟି କୃଷକ ଉତ୍ପାଦକ ସଂଘର ୧୫ ଜଣ କର୍ମକର୍ତ୍ତା ବୁଧବାର ଗଜପତି ଜିଲା ପରିଦର୍ଶନରେ ଯାଇଛନ୍ତି। ମାଣ୍ଡିଆ ଉତ୍ପାଦନ, ତାର ପ୍ରକ୍ରିୟାକରଣ ଓ ବିପଣନ ଉପରେ ଉତ୍କର୍ଷ ଲାଭ କରିଥିବା ଗଜପତି ଜିଲାର ଶୁଖିଲା ଆମ୍ବଠାରେ ଥିବା ତପ୍ତପାଣି କୃଷକ ଉତ୍ପାଦକ ସଂଘକୁ ସେମାନେ ପରିଦର୍ଶନରେ ଯାଇଛନ୍ତି। ସେଠାରେ ସେମାନେ ଉତ୍ପାଦନ ଏବଂ ତାହାର ବିକ୍ରି କିଭଳି ହେଉଛି ବୁଲି ଦେଖିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ର ମୁଖ୍ୟ ବୈଜ୍ଞାନିକ ଡ଼ଃ ସୁତନୁ କୁମାର ଶତପଥୀ, ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଷୀମାନେ ଭଞ୍ଜନଗରରୁ ସେଠାକୁ ପରିଦର୍ଶନରେ ଯାଇଥିଲେ। କୃଷକ ଉତ୍ପାଦକ ସଂଘର କାର୍ଯ୍ୟଧାରାକୁ ସୁଦୃଢ କରିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।