ରାତି ପାହିଲେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ
1 min read
ବରଗଡ଼: ରାତି ପାହିଲେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜା କଂସଙ୍କ ରାଜୁତି। ଦ୍ଵାପର ଯୁଗର ଖଳନାୟକ ବରଗଡ଼ ଧନୁଯାତ୍ରାରେ ପାଲଟିବେ ମହାନାୟକ। ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗର।
ଡିସେମ୍ବର ୨୪ରୁ ବରଗଡ଼ ପାଲଟିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ଏଠାରେ ୧୧ ଦିନ ଧରି ଚାଲିବ ରାଜତନ୍ତ୍ର। ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରଗଡ଼ ଜିଲ୍ଲାର ଗାଁଠୁ ସହର। ଆଲୋକମାଳାରେ ସଜ୍ଜେଇ ହୋଇଛି ବରଗଡ଼ ସହର। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।
ଚଳିତ ବର୍ଷ ୭୮ତମ ଧନୁଯାତ୍ରା ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏଥର ଧନୁଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ବରଗଡ଼ ମଥୁରା ନଗରୀ ପାଲଟିବ ଏବଂ ଅମ୍ବାପଲ୍ଲୀ ହେବ ଗୋପପୁର। ସେହିଭଳି ଜିରା ନଦୀ ପାଲଟିବ ଯମୁନା। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।
ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।


