‘ଭଲ କବିତାର ଖୋଜ’ ପକ୍ଷରୁ ବାଲେଶ୍ଵର ଜିଲ୍ଲାର ଲାଖୋଟିଆ କମ୍ପ୍ୟୁଟର ସେଣ୍ଟର୍ ସଭାଘରେ କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
1 min read
ବାଲେଶ୍ଵର: ଏହି ଅବସରରେ କବିଗଣ କବିଙ୍କ ସ୍ଵର୍ଗତ କବି କମଳକାନ୍ତ ଲେଙ୍କାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଆର୍ପଣ କରିବା ସହ ଦୀପ ପ୍ରଜ୍ଵଳନ କରିଥିଲେ। ସଭା ଆରମ୍ଭରେ କବି ରାଜେନ୍ଦ୍ର କିଶୋର ପଣ୍ଡା, ସୁସାହିତ୍ୟିକ ପ୍ରହ୍ଲାଦ ଚରଣ ମହାନ୍ତି ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସ୍ମତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ପ୍ରାରମ୍ଭରେ ‘କବି କମଳାକାନ୍ତ ସାହିତ୍ୟ ସମାଜ’ ପକ୍ଷରୁ କବିପୁତ୍ର ସିତାଂଶୁ ଲେଙ୍କା ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଭଲ କବିତାର ଖୋଜ’ ପକ୍ଷରୁ ଆବାହକ କୃଷ୍ଣ କୁମାର ମହାନ୍ତି ଏଥିରେ ସଭାପତିତ୍ଵ କରିଥିଲେ। ଅନ୍ୟତମ ଆବାହକ କବି ଶ୍ରୀଦେବ କମଳାକାନ୍ତଙ୍କ ସମ୍ପର୍କରେ ଚନ୍ଦ୍ରଭାଗା ପତ୍ରିକାରେ ପ୍ରକାଶିତ ସାକ୍ଷାତକାରର ଆଲୋଚନା କରିଥିଲେ। ‘ଭଲ କବିତାର ଖୋଜ’ ର ସମ୍ପାଦକ କବି ଉତ୍ପଳ ମହାନ୍ତି ସଭାର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଅତିଥିଙ୍କୁ ସ୍ଵାଗତ କରିଥିଲେ।
କବି କମଳାକାନ୍ତ ଲେଙ୍କା ଥିଲେ ଜଣେ ସାରସ୍ଵତ ବିପ୍ଳବୀ। ତାଙ୍କ କବିତାର ଶୈଳୀ ଥିଲା ଅନନ୍ୟ ଓ ଅସାଧାରଣ। ନିଜ କବିତାରେ ସେ ଅଣଈଶ୍ଵରୀୟ ଅସ୍ତିତ୍ଵବାଦର କଥା କହିଥିବା ବେଳେ ଶୈଳୀ କ୍ଷେତ୍ରରେ ସେ ତାଙ୍କ ‘ଉତ୍ତରଣ’ କବିତାରେ ଯେଉଁ ଏକ୍ସପେରିମେଣ୍ଟ୍ କରିଛନ୍ତି, ତାହା ସ୍ମରଣୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ସାରସ୍ଵତ ଆସରରେ ବିଶିଷ୍ଟ କଥାକାର ରଜନୀକାନ୍ତ ମହାନ୍ତି, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କବି ବିମଳ ଜେନା, ସମାଲୋଚକ ଡକ୍ଟର ସନ୍ତୋଷ କୁମାର ନାୟକ, କବି ପ୍ରୀତିଲେଖା ଦାସ୍, ଅନୁବାଦକ ସୋମନାଥ ଓଝା, କବି ଅଭୟ ଦାସ ପ୍ରମୁଖ ଉପସ୍ଥିତ ରହି କବିଙ୍କ କବିତା ଆବୃତ୍ତି କରିବା ଥିଲେ। ଶେଷରେ ସିତାଂଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।


