ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ
1 min read
ଭୁବନେଶ୍ୱର: ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୦୨୪-୨୫ ବ୍ୟାଚରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍’ ଏବଂ ‘ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ’ ଭଳି ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ର ଉଦଘାଟନ କରିଥିଲେ। ଏହି ଦୁଇଟି ଉତ୍କର୍ଷ କେନ୍ଦ୍ର ହେବା ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପ ଉପଯୋଗୀ ତାଲିମ ପାଇ ନିଜ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେଇ ପାରିବେ।
‘‘୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଦିଗରେ ଆମେ ଅଗ୍ରସର ହେଉଛୁ। ଏହାକୁ ସାକାର କରିବା ପାଇଁ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଗାମୀ ଦିନରେ ଅତ୍ୟାଧୁନିକ ଶିଳ୍ପ ଜଗତ ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାରେ ଓଡ଼ିଶାର ବିଶେଷ ଯୋଗଦାନ ରହିବ,’’ କହିଛନ୍ତି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ୧,୦୮୮ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ଶେଷ କରିଛନ୍ତି। ସେମାନଙ୍କୁ ଏହି ସମାବର୍ତ୍ତନ ଉତ୍ସବରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସେହିପରି ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରୁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ‘ବେଷ୍ଟ ଟ୍ରେନି’ ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଟ୍ରେଡରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା।


