March 22, 2026

ସୁଦାନର ପଶ୍ଚିମ ଦାର୍ଫୁର ଅଞ୍ଚଳରେ ଏକ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ

1 min read

କାଏରୋ: ସୁଦାନର ପଶ୍ଚିମ ଦାର୍ଫୁର ଅଞ୍ଚଳରେ ଗତ ସପ୍ତାହରେ ଏକ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୩ ଶିଶୁ ଅଛନ୍ତି ‌ବୋଲି ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଦିନ ପୂର୍ବ ଡାର୍ଫୁରରେ ଥିବା ଅଲ୍ ଡାଏନ୍ ଟିିଚିଂ ହସ୍ପିଟାଲ ଉପରେ ଜୋରଦାର୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅତି କମ୍‌ରେ ୮୯ ଜଣ ଆହତ ହୋଇଥିଲେ ଏବଂ ହସ୍ପିଟାଲଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇ କାର୍ଯ୍ୟ କରୁ ନଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଘେବ୍ରେୟସସ୍ ‘ଏକ୍ସ’ ରେ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୦୨୩ ପରଠାରୁ ସୁଦାନରେ ସେନା ଓ ଅର୍ଦ୍ଧ୍ବ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଘଟି ଦେଶରେ ବ୍ୟାପକ ଅରାଜକତା ଓ ଯୁଦ୍ଧ ଲାଗିରହିଛି। ଆର୍‌ଏସ୍‌ଏଫ୍‌ ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ସେନାକୁ ଦାୟୀ କରିଛି। ତେବେ ସେନା ପକ୍ଷରୁ ଆକ୍ରମଣକୁ ଖଣ୍ଡନ କରାଯାଇଛି। କିନ୍ତୁ ଦୁଇଜଣ ସେନା ଅଧିକାରୀ ସେମାନଙ୍କ ନାଁ ଗୋପନ ରଖି ସେନାପକ୍ଷରୁ ଏହି ଆକ୍ରମଣ ହୋଇଥିବା ସ୍ବୀକାର କରିଛନ୍ତି।