୫ ଜଣ ଶିଶୁ ଏଚ୍ଏମ୍ପିଭି ପଜିଟିଭ ଅଛନ୍ତି
1 min readନୂଆଦିଲ୍ଲୀ: ଚୀନ୍ରେ ଆତଙ୍କ ଖେଳାଇଥିବା ଏଚ୍ଏମ୍ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍) ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ଦେଶରେ ୫ ଜଣ ଶିଶୁ ଏଚ୍ଏମ୍ପିଭି ପଜିଟିଭ ଅଛନ୍ତି। ସେମାନଙ୍କ ମଧ୍ୟରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ, ତାମିଲନାଡ଼ୁର ଚେନ୍ନାଇରେ ୨ ଜଣ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ଉକ୍ତ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ। ସେହିଭଳି ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ। ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ ଇତିହାସ ନାହିଁ। ଏଥିସହିତ ଅନ୍ୟ ରାଷ୍ଟ୍ର ଗସ୍ତ କରିଥିବା କୌଣସି ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ସେମାନେ ଆସିନାହାନ୍ତି। ବେଙ୍ଗାଲୁରୁରେ ଏଚ୍ଏମ୍ପିଭି ଆକ୍ରାନ୍ତ ହୋଇଥିବା ୩ ମାସର ଶିଶୁ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛି। ଅନ୍ୟପକ୍ଷେ ଅହମଦାବାଦରେ ସଂକ୍ରମିତ ହୋଇଥିବା ଶିଶୁ ପୂର୍ବରୁ ଭେଣ୍ଟିଲେଟରରେ ଥିବାବେଳେ ଏବେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଚେନ୍ନାଇରେ ୨ ଜଣ ଶିଶୁ ଏଚ୍ଏମ୍ପିଭି ଭୂତାଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ କୋଲକାତାରେ ମଧ୍ୟ ୩ ଜଣ ଶିଶୁ ଗତ ନଭେମ୍ବର ମାସରୁ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ରହିଛି ବୋଲି କୋଲକାତାସ୍ଥିତ ପିୟରଲେସ୍ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଛନ୍ତି। ତେଣୁ ଏହାକୁ ମିଶାଇଲେ ଦେଶରେ ଏଚ୍ଏମ୍ପିଭି ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ଏଚ୍ଏମ୍ପିଭି ଭାଇରସ୍ ଭାରତ ସମେତ ସମଗ୍ର ବିଶ୍ବରେ ବ୍ୟାପୁଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ଚିନ୍ତା କରିବାର କୌଣସି କାରଣ ନାହିଁ। ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ବେଙ୍ଗାଲୁରୁରେ ୨ଟି ଏଚ୍ଏମ୍ପିଭି ମାମଲା ଚିହ୍ନଟ ହେବାପରେ କର୍ଣ୍ଣାଟକ ସରକାର ଆଜି ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଏଚ୍ଏମ୍ପିଭିର ଲକ୍ଷଣ ଦେଖାଦେଲେ ସର୍ବସାଧାରଣ ସ୍ଥଳକୁ ନଯିବାପାଇଁ ଏବଂ ମାସ୍କ ପିନ୍ଧିବାପାଇଁ ଏଥିରେ କୁହାଯାଇଛି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି, ୮ ମାସର ଶିଶୁ ପୁତ୍ର ସୁସ୍ଥ ଅଛି ଏବଂ ଆସନ୍ତାକାଲି ହସ୍ପିଟାଲରୁ ଡିସ୍ଚାର୍ଜ ହେବ। ସେ କହିଛନ୍ତି, ଏହି ଭୂତାଣୁ ପୂର୍ବରୁ ରହିଛି। ଏହା ପ୍ରଥମ ମାମଲା ନୁହେଁ। ଉକ୍ତ ଭୂତାଣୁ ପାଇଁ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେଉଛି। ତେବେ ଡରିବାର କୌଣସି କାରଣ ନାହିଁ। ଏହି ମାମଲା ପ୍ରଥମେ ୨୦୦୧ରେ ନେଦରଲାଣ୍ଡ୍ସରେ ଚିହ୍ନଟ ହୋଇଥିଲା। ଲୋକମାନେ ଅଯଥାରେ ଭୟ ନକରିବା ପାଇଁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ମେଡିକାଲ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି ଏବଂ ଆଇସିଏମ୍ଆର ଓ କେନ୍ଦ୍ର ସରକାରଙ୍କ ସହ ପରବର୍ତ୍ତୀ ବୈଠକ ହେବ ବୋଲି ରାଓ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଏଚ୍ଏମ୍ପିଭି ଭାଇରସ୍ ୨ ଜଣ ଶିଶୁଙ୍କଠାରେ ଚିହ୍ନଟ ହୋଇଛି। ଏସଂକ୍ରାନ୍ତରେ ଅବଗତ ହେବାପରେ ମୁଁ ସଙ୍ଗେସଙ୍ଗେ ଦିନେଶ ଗୁଣ୍ଡୁ ରାଓଙ୍କ ସହ କଥା ହୋଇଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ସ୍କୁଲ୍ ପାଇଁ ପୃଥକ୍ ନିର୍ଦ୍ଦେଶାବଳି ଜାରି ହୋଇଛି। ପିଲାମାନଙ୍କର ସାଧାରଣ ଥଣ୍ଡା ଏବଂ କାଶ ହୋଇଥିଲେ ସେମାନଙ୍କୁ ସ୍କୁଲ୍ ନପଠାଇବା ପାଇଁ ନିର୍ଦ୍ଦେଶାବଳିରେ କୁହାଯାଇଛି। ସେହିପରି ଶ୍ବାସକ୍ରିୟା ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ବିସ୍ତୃତ ରେକର୍ଡ ରଖିବା ପାଇଁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଚ୍ଏମ୍ପିଭି ଏକ ନୂଆ ଭୂତାଣୁ ନୁହେଁ। ଏହି ଭୂତାଣୁ ୨୦୦୧ ମସିହାରେ ପ୍ରଥମେ ଚିହ୍ନଟ ହୋଇଥିଲା। ଏହା ବାୟୁଦ୍ବାରା ବ୍ୟାପିଥାଏ ଏବଂ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିପାରେ। ଶୀତ ଓ ବସନ୍ତ ଋତୁରେ ଏହା ଅଧିକ ମାତ୍ରାରେ ବ୍ୟାପିଥାଏ ବୋଲି ନଡ୍ଡା କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମ୍ଆର୍(ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ) ଏବଂ ଏନ୍ସିଡିସି(ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର) ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଯେକୌଣସି ପ୍ରକାର ସ୍ବାସ୍ଥ୍ୟଜନିତ ଆହ୍ବାନର ତୁରନ୍ତ ମୁକାବିଲା କରିବା ପାଇଁ ଦେଶ ପ୍ରସ୍ତୁତ ଅଛି ବୋଲି ନଡ୍ଡା ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।