December 22, 2025

ସସ୍‌ପେଣ୍ଡ ହେଲେ ୨ ଏଏନଏମ

1 min read

ବାଲେଶ୍ୱର: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ ହେଲେ ଦୁଇ ଏଏନଏମ। ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଳିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ଏଏନଏମ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି ବୋଲି ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି । କର୍ତ୍ତବ୍ୟରେ ଖିଲାପ ଓ ନିୟମ ଉଲଙ୍ଘନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି।

ସୂଚନା ଯେ,ବାଲେଶର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଗତ ୧୧ତାରିଖରେ ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅବଧି ସରି ନଥିବା ଔଷଧ ରାସ୍ତା ପାଖରେ ଅଳିଆ ଗଦାରେ ପଡିଥିଲା । ଗୋଟିଏ କି ୨ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ୫୦ ଏମଏଲର ସିରପ ପଡିଥିଲା। ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା ।ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଇଥିଲା । ଓଡ଼ିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ ସେହି ଔଷଧର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖା ରହିଥିଲା ॥ କାହିଁକି ଔଷଧ ଫିଙ୍ଗିଦିଆଗଲା ଓ କେଉଁଠୁ ଔଷଧ ଆସିଲା ସେନେଇ ଏକ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।