ସାଇବର ଅପରାଧ ମାମଲାରେ ନୋଏଡ଼ା କଲ୍ ସେଣ୍ଟରରୁ ୯ ମହିଳାଙ୍କ ସମେତ ୧୧ ଗିରଫ
1 min read
ନୂଆଦିଲ୍ଲୀ: ସାଇବର ଠକେଇ ମାମଲାରେ ନୋଏଡାର ଏକ କଲ୍ସେଣ୍ଟରରେ ଚଢ଼ଉ କରି ପୁଲିସ ୯ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ହଜାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଜବତ ହୋଇଛି। ଡିସିପି ଶକ୍ତି ମୋହନ ଅୱସ୍ତିଙ୍କ ସୂଚନାନୁସାରେ, ସେକ୍ଟର ୫୧ ବଜାରର ୪ର୍ଥ ମହଲାରେ ଏହି କଲ୍ ସେଣ୍ଟରଟି ରହିଥିଲା। ଗୁଇନ୍ଦା ସୂଚନା ପାଇ ଶୁକ୍ରବାର କ୍ରାଇମ୍ ରେସ୍ପନ୍ସ ଟିମ୍ (ସିଆର୍ଟି) ଓ ସେକ୍ଟର ୪୯ ଥାନାର ଯୁଗ୍ମ ଟିମ୍ ଚଢ଼ଉ କରିଥିଲା। ଏହି ଚଢ଼ଉରେ ମୁଖ୍ୟ ଅଭିଯୁକ୍ତ ଆଶିଷ କୁମାର ଓରଫ ଅମିତ ଓରଫ ଜିତେନ୍ଦ୍ର ବର୍ମା ଓରଫ ଅଭିଷେକକୁ ଗିରଫ କରାଯାଇଛି। ଠକାମିରେ ଜଡ଼ିତ ୯ ମହିଳା- ନିଶା ଓରଫ ସ୍ନେହା, ରେଜୁ ଓରଫ ଦିବ୍ୟା, ଲଭ୍ଲି ଯାଦବ ଓରଫ ଶ୍ବେତା, ପୁନମ୍ ଓରଫ ପୂଜା, ଆରତୀ କୁମାର ଓରଫ ଅନନ୍ୟା, କାଜଲ କୁମାରୀ ଓରଫ ଶ୍ରୁତି, ସରିତା ଓରଫ ସୁମନ, ବବିତା ପଟେଲ୍ ଓରଫ ମାହି, ଗରିମା ଚୌହାନ୍ ଓରଫ ସୋନିଆଙ୍କୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗ୍ର ପ୍ରାଥମିକ ଟାର୍ଗେଟ୍ରେ ଦିଲ୍ଳୀ ଏନ୍ସିଆର୍ର ଲୋକମାନେ ହିଁ ରହୁଥିଲେ। ସେମାନଙ୍କୁ ଋଣ ଓ ଲାଭଦାୟକ ବୀମା ଯୋଜନା ଯୋଗାଇ ଦେବା ଆଳରେ ଠକେଇ କରୁଥିଲେ। ସେମାନେ ଏହି କାରବାର ନିମନ୍ତେ କର୍ଣ୍ଣାଟକର ଅରବିନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଜମାଖାତାକୁ ମାସକୁ ୧୦ହଜାର ଟଙ୍କା ଭଡ଼ାରେ ନେଇଥିଲେ। ମୁଖ୍ୟ ଅଭିଯୁକ୍ତ ଆଶିଷ ଲୋକଙ୍କ ଠାରୁ ଠକୁଥିବା ଟଙ୍କାକୁ ଏଟିଏମ୍ କାର୍ଡ ଜରିଆରେ ବାହାର କରୁଥିଲା। ଏହାସହ ସମସ୍ତ କାରବାର ଓ ନେଣଦେଣକୁ ଏକ ‘କଳା ଡାଏରି’ରେ ଲପିବଦ୍ଧ କରୁଥିଲା। ନିଜର ସହଯୋଗୀଙ୍କ ଯୋଗଦାନ ଅନୁସାରେ ସେମାନଙ୍କୁ କାରବାରର ଲାଭ ଦେଉଥିବା ପୁଲିସ୍ ସୂଚନା ଦେଇଛି।