ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍ରେ ପିଟି ପିଟି ହତ୍ୟା
1 min read
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ ସ୍ୱାମୀ ଡମ୍ବେଲ୍ରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କାଜଲ ମଙ୍ଗଳବାର ପ୍ରାଣ ହରାଇଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ବିବାହର ମାତ୍ର ୧୫ ଦିନ ପରେ ସ୍ୱାମୀ ଅଙ୍କୁର ଏବଂ ତାଙ୍କ ପରିବାର କାର୍ ଓ ନଗଦ ଟଙ୍କା ଦାବି କରି କାଜଲଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।
ଜାନୁଆରୀ ୨୨ ତାରିଖ ରାତି ପ୍ରାୟ ୧୦ଟା ବେଳେ ଏକ ଘରୋଇ କଳିରୁ ଉତ୍ତ୍ୟକ୍ତ ହୋଇ ଅଙ୍କୁର କାଜଲଙ୍କ ମୁଣ୍ଡକୁ ଏକ ଡମ୍ବେଲ୍ରେ ଆକ୍ରମଣ କରିବା ସହ କବାଟରେ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। କାଜଲ ଚାରି ମାସର ଗର୍ଭବତୀ ଥିଲେ। ତାଙ୍କ ମୃତ୍ୟୁ ସହ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି। “ଅଙ୍କୁର ଗୋଟିଏ ନୁହେଁ, ଦୁଇଟି ହତ୍ୟା କରିଛି,” ବୋଲି ଶୋକାକୁଳ ପରିବାର କହିଛନ୍ତି।
କାଜଲ ୨୦୨୩ ମସିହାରେ ଦିଲ୍ଲୀ ପୋଲିସର SWAT ଟିମ୍ରେ କମାଣ୍ଡୋ ଭାବେ ନିଯୁକ୍ତି ପାଇଥିଲେ। ଅଭିଯୁକ୍ତ ସ୍ୱାମୀ ଅଙ୍କୁର ଦିଲ୍ଲୀର ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ କିରାଣୀ ଭାବେ କାର୍ଯ୍ୟରତ। ଦୁହେଁ ୨୦୨୩ ମସିହାରେ ପରିବାର ସହମତିରେ ବିବାହ କରିଥିଲେ।
ଘଟଣା ସ୍ଥଳରୁ ରକ୍ତଭିଜା ଡମ୍ବେଲ୍ ଜବତ କରାଯାଇଛି। ହତ୍ୟାକାଣ୍ଡ ପରେ ଅଙ୍କୁର ନିଜେ କାଜଲଙ୍କ ଭାଇଙ୍କୁ ଫୋନ୍ କରି “ମୁଁ ତାକୁ ମାରିଦେଇଛି, ଶବ ନେଇଯାଅ” ବୋଲି କହିଥିବା ସୂଚନା ମିଳିଛି। ପୋଲିସ ଅଭିଯୁକ୍ତ ଅଙ୍କୁର ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି


