August 7, 2026

ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା

1 min read

ଧାମରା : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୪ ନମ୍ବର ଲଞ୍ଚ କମ୍ପ୍ଲେକ୍ସରୁ ସନ୍ଧ୍ୟା ୬ଟା ୧୫ ମିନଟରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଡିଆର୍‌ଡିଓ ଏବଂ ‘ଷ୍ଟ୍ରାଟେଜିକ୍‌ ଫୋର୍ସେସ୍‌ କମାଣ୍ଡ’ର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଇଥିଲା।
ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ୧୭ ଟନ୍‌ ଓଜନ, ୨୦ ମିଟର ଲମ୍ବ ଓ ୨ ମିଟର ମୋଟେଇର ଏହି କ୍ଷେପଣାସ୍ତ୍ର ‘ଅଗ୍ନି-୪’ ୧୦୦୦ କେଜି ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ୫ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଆଜିର ଏହି ପରୀକ୍ଷା ସମୟରେ ଆଇଟିଆର ପକ୍ଷରୁ ନିୟୋଜିତ ରାଡାର୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଅଗ୍ନି-୪ କ୍ଷେପଣାସ୍ତ୍ରଟି ନାଭିଗେସନ ସିଷ୍ଟମ ସହ ଗ୍ଲୋବାଲ ପୋଜିସନିଂରେ ତିଆରି କରାଯାଇଥିଲା। ସେକେଣ୍ଡ୍‌ ପ୍ରତି ୨.୫ କିମି ହିସାବରେ ଏହି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ୧୬ ମିନିଟରେ ଆଜି ୪୦୦୦ କିମି ଅତିକ୍ରମ ସହ ଧାର୍ଯ୍ୟ ଟାର୍ଗେଟ୍‌ରେ ପହଞ୍ଚିଥିଲା। ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷା ବେଳେ ଡିଆରଡିଓ, ଆଇଟିଆର ଓ ‘ଷ୍ଟ୍ରାଟେଜିକ୍‌ ଫୋର୍ସେସ୍‌ କମାଣ୍ଡ’ର ଉଚ୍ଚ ପଦାଧିକାରୀଙ୍କ ସମେତ ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ବାଲାଷ୍ଟିକ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ଓ କ୍ଷମତା ବୃଦ୍ଧି କରାଯିବ ବୋଲି ଡିଆର୍‌ଡିଓ ଅଧିକାରୀ କହିଛନ୍ତି।