August 3, 2026

ଭଦ୍ରକରେ ସାଳନ୍ଦୀ ନଦୀର ବନ୍ୟା ଛାଡି ଯାଇଛି

1 min read

ଭଦ୍ରକ:ଭଦ୍ରକରେ ସାଳନ୍ଦୀ ନଦୀର ବନ୍ୟା ଛାଡି ଯାଇଛି। ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସାଳନ୍ଦୀ। ହେଲେ ଭାଙ୍ଗି ଦେଇଛି ଅସହାୟ ମଣିଷର ଝାଟିମାଟି ଘର। ସେହି ଭଙ୍ଗା ଘର ଭିତରେ ପୁଣି ଆଶ୍ରୟ ନେବା ପାଇଁ ସଜାଡ଼ୁଛି। ଓଦା ମାଟି ଭିତରେ ବନ୍ୟା ବିପନ୍ନ ମଣିଷ ଖୋଜୁଛି ପୁଣି ମୁଣ୍ଡ ଗୁଞ୍ଜିବା ପାଇଁ ନିଜର ଆଶ୍ରୟ ।

୧୫ରୁ ଊର୍ଦ୍ଧ୍ବ ଘର ସମ୍ପୂର୍ଣ ଭାଙ୍ଗି ଯାଇଛି
ବନ୍ୟାରେ ନିଜର ଘରକୁ ଚାଡ଼ି ପଳାଇ ଆସୁଥିଲେ ସ୍କୁଲରେ ହୋଇଥିବା ଆଶ୍ରୟ ସ୍ଥଳକୁ। ବନ୍ୟା ଜଳ ଆଗରେ ବେଶ୍ କିଛି ଅସହାୟ ଥିଲା ମଣିଷ। ଏମିତି ଏନେକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତରେ। ଏହି ଗାଁ ଦାଣ୍ଡରେ ଦୀର୍ଘ ଛ ଦିନଧରି ଚାରି ଫୁଟର ବନ୍ୟା ପାଣି ଘେରରେ ରହିଥିଲେ ଅନେକ ପରିବାର। ଏବେ ବନ୍ୟା ଛାଡି ଯାଇଛି ହେଲେ ସେମାନଙ୍କ ଦୁଃଖ ବଢ଼ି ଯାଇଛି। ଅର୍ଣ୍ଣପାଳ ପଂଚାୟତର ରାଜୁଆଳି ବିନ୍ଧା ଗାଁରେ ଚାଷ କରି ପରିବାର ପୋଷଣ କରୁଥିବା ନଟବର ମହାଳିକ ଓ ନରେନ୍ଦ୍ର ମହାଳିକଙ୍କ ଝାଟିମାଟି ଘର ଏବେ ବନ୍ୟା ପାଣିରେ ଭାଙ୍ଗି ଯାଇଛି। ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେମିତି ଏମାନଙ୍କ ପାଇଁ ସାତ ସପନ ହୋଇଛି। ସେହି ଭଙ୍ଗା ଘରକୁ ପୁଣି ମାଟି ଲେପି ମୁଣ୍ଡ ଗୁଂଜିବାକୁ ବାଟ ଖୋଜୁଛନ୍ତି ତାଙ୍କ ପରିବାର। ରାଜ୍ୟ ସରକାର ଗ୍ରାଉଣ୍ଡ ଜିରୋରେ ବନ୍ୟାରେ ଭାଙ୍ଗିଥିବା ଘର ଲିଷ୍ଟ ପାଇଁ ଆରଆଇ ଅଛନ୍ତି ବୋଲି କହୁଥିବା ବେଳେ ବାସ୍ତବ ଦୃଶ୍ୟ ଆପଣଙ୍କ ସାମ୍ନାରେ। ନା ଏମାନଙ୍କ ପାଖରେ ପ୍ରଶାସନ ପହଁଚିଛି ନା କ୍ଷୟକ୍ଷତି ଆକଳନ କରୁଥିବା ସରକାରୀ ବାବୁମାନେ।ଏଭଳି ପରିସ୍ଥିତିରେ ନିଜ ଭାଗ୍ୟକୁ ଆଦରି ଭାଙ୍ଗି ପଡିଛନ୍ତି ନଟବରଙ୍କ ପରିବାର। ସେହିପରି ଏହି ଗାଁରେ ଆହୁରି ୧୫ରୁ ଅଧିକ କଚା ଘର ବନ୍ୟା ପାଣିରେ ସମ୍ପୂର୍ଣ ଭାଙ୍ଗିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ସରକାରୀ ସହାୟତା ମିଳିବା ସହିତ ଯଥାଶୀଘ୍ର ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆକୁଳ ନିବେଦନ କରିଛନ୍ତି ଏହି ଦୁଃଖ ପରିବାର। ଏହି ଅସହାୟ ଅବସ୍ଥାରେ ରହିଥିବା ବନ୍ୟାବିପନ୍ନ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।