March 30, 2026

ଦଧିବାମନଜୀୟୁ ରାମଲିଳା ନାଟ୍ୟ ପରିଷଦ, ଡେରାବିଶ ଦ୍ୱାରା ଆରମ୍ଭ ହେଲା ସମ୍ପୂର୍ଣ୍ଣ ରାମାୟଣ

1 min read

ଡେରାବିଶ,୩୦/୩(ଦିପକ କୁମାର କର) : ସଦାଶିବ ରଚିତ ରାମାୟଣ, ଦଧିବାମନଜୀୟୁ ରାମଲିଳା ନାଟ୍ୟ ପରିଷଦ ଡେରାବିଶ ଦ୍ୱାରା ଦୀର୍ଘ ୫୪ବର୍ଷ ଧରି ଅବାରିତ ଭାବେ ପରିବେଷିତ ହୋଇଆସୁଛି । ପୁରୁଣା ଅନୁଷ୍ଠାନରେ ସ୍ଥାନୀୟ କଳାକାରମାନେ ନିଜର ଅଭିନୟ ଯାଦୁର ପ୍ରଦର୍ଶନ କରିଥାନ୍ତି । ଆଜିର ସମାଜରେ ପାଶ୍ଚାତ୍ୟ ସଂସ୍କୃତିର ବଳିଷ୍ଠ ପ୍ରଭାବ ରହିଥିଲେ ମଧ୍ୟ ଏଠାକାର ରାମାୟଣରେ ବହୁତ ରାମପ୍ରେମୀଙ୍କ ସମାଗମ ହୋଇଥାଏ । ଉକ୍ତ ଅଂଚର ବିଭିନ୍ନ ଗ୍ରାମରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ନାଟକରେ ପ୍ରଭାବିତ ହୋଇ ଅଂଚଳର ଛୋଟଛୋଟ ପିଲାମାନେ ସେମାନଙ୍କ ଗ୍ରାମରେ ଧନୁ ତିଆରିକରି ଅଭିନୟ କରି ଖେଳିଥାନ୍ତି ।

ଦଧିବାମନଜୀୟୁ ନାଟ୍ୟ ପରିଷଦ ଡେରାବିଶର ସଭାପତି ସଞ୍ଜୟ କୁମାର ସାହୁ ଓ ସମ୍ପାଦକ ମନୋରଞ୍ଜନ ରଣାଙ୍କ ତତ୍ୱାବଧାନରେ ବ୍ୟବସ୍ଥିତ ଢଙ୍ଗରେ ଚଳିତ ବର୍ଷର ରାମଲୀଳା ଆରମ୍ଭ ହୋଇଛି । ରବିବାର ଦିନ ପ୍ରଥମ ରାତିରେ ତାଡକା ବଧ ପ୍ରଦର୍ଶୀତ ହୋଇଥିଲା । ଏହିପରି ଭାବେ ଦଶଦିନ ବ୍ୟାପି ରାମଲୀଳା କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ । ଉକ୍ତ ଦଶଦିନର ରାମଲୀଳାକୁ ଦର୍ଶନାଦୃତ କରିବାପାଇଁ ବହୁ ଅନୁଭୂତି ପ୍ରାପ୍ତ ଅଂଚଳର ବରିଷ୍ଠ ନିର୍ଦ୍ଦେଶକ ବଳରାମ ମହାପାତ୍ର ନିର୍ଦ୍ଦେଶନା ଦେଉଥିବାବେଳେ ଯୁବ ସହ-ନିର୍ଦ୍ଦେଶକ ପଦ୍ମନାଭ ମିଶ୍ର, ଅନିରୁଧ ବେହେରା, ନାରାୟଣ ଚନ୍ଦ୍ର ସାହୁ ନିର୍ଦ୍ଦେଶନାରେ ସହଯୋଗ କରିଥାନ୍ତି । ପ୍ରଥମଦିନ ରାମଲୀଳାରେ ପ୍ରତାପ କୁମାର ସାହୁ ରାମ ଓ ଉପେନ୍ଦ୍ର କୁମାର ମହାଳି ଲକ୍ଷ୍ମଣ ଭୂମିକାରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ ।