ଏପ୍ରିଲ ମାସରେ ଅଂଶୁଘାତ ସ୍ଥିତି ଦେଖାଯାଇଛି।
1 min read
ରାୟପୁର: ଏପ୍ରିଲ ମାସରେ ଅଂଶୁଘାତ ସ୍ଥିତି ଦେଖାଯାଇଛି। ମୁଣ୍ଡ ଫଟା ଖରା ଯୋଗୁଁ ଘରୁ ବାହାରକୁ ଯିବା ସହଜ ହେଉନାହିଁ। ସକାଳ ୮ଟାରୁ ନିଦାଘ ମାଡ଼ି ଆସୁଛି। ସ୍କୁଲପିଲା ଏବଂ ଅଭିଭାବକଙ୍କର ଅଧିକ ଚିନ୍ତା ବଢ଼ାଉଛି। ଓଡ଼ିଶାରେ କମ୍ ଦିନ ମଧ୍ୟରେ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ନେଇ ଘୋଷଣା ହୋଇପାରେ। କିନ୍ତୁ ପଡ଼ୋଶୀ ଛତିଶଗଡ଼ରେ ଭୀଷଣ ଗରମ ଯୋଗୁଁ ସ୍କୁଲ ଛୁଟି ନେଇ ଘୋଷଣା ହୋଇଯାଇଛି। ଅଂଶୁଘାତ ଏବଂ ଗରମର ପ୍ରଭାବ ନେଇ ୨୦୨୬ ଏପ୍ରିଲ ୨୦ରୁ ଜୁନ ୧୫ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ଆଶା କରାଯାଉଥିଲା ଯେ, ଚଳିତ ବର୍ଷ ମେ’ ମାସ ୧ ତାରିଖ ଠାରୁ ଗ୍ରୀଷ୍ମକାଳୀନ ଛୁଟି ହେବ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ କହିଛନ୍ତି, ରାଜ୍ୟରେ ବର୍ଦ୍ଧିତ ଗରମ ଏବଂ ଅଂଶୁଘାତର ପ୍ରଭାବକୁ ଦୃଷ୍ଟିରେ ରଖି ପିଲାମାନଙ୍କର ସ୍ବାସ୍ଥ୍ୟାବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡ଼ିକ ଗ୍ରୀଷ୍ମକାଳୀନ ଛୁଟି ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବେ ୨୦୨୬ ଏପ୍ରିଲ ୨୦ରୁ ଜୁନ ୧୫ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। ଏହାଦ୍ବାରା ପିଲାମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷିତ ରହିବ।


