ଲେଖକ ରାକେଶ ପଣ୍ଡା ସପ୍ତମ ଗୀତାଞ୍ଜଳି ଉତ୍କର୍ଷ ସମ୍ମାନ ୨୦୨୪ରେ ସମ୍ମାନିତ
1 min readଭୁବନେଶ୍ଵର: ଯୁବ କବି, ଗାଳ୍ପିକ, ପ୍ରାବନ୍ଧିକ ତଥା ସ୍ତମ୍ଭକାର ରାକେଶ ପଣ୍ଡା ରାଜ୍ୟର ଶ୍ରେଷ୍ଠ ଯୁବ ଲେଖକ ଭାବରେ ସପ୍ତମ ଗୀତାଞ୍ଜଳି ଉତ୍କର୍ଷ ସମ୍ମାନ-୨୦୨୪ରେ ସମ୍ମାନିତ ହୋଇଛନ୍ତି । ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଚଳିତ ମାସ ୨୩ ତାରିଖ ଦିନ ଭୁବନେଶ୍ବର ସ୍ଥିତ ହୋଟେଲ ପ୍ରେସିଡେନସି ଠାରେ ଆୟୋଜିତ ହୋଇଥିବା ‘ଷ୍ଟେଟ କନକ୍ଳେଭ ଅନ୍ ୟୁଥ୍ ଫର୍ ନେଶନ ବିଲଡିଙ୍ଗ’ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର କ୍ଯାବିନେଟ ମନ୍ତ୍ରୀ, ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ, ଏକାମ୍ର-ଭୁବନେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ରାଜ୍ୟରେ ଜଣେ ସୁଲେଖକ ଭାବରେ ପରିଚିତ । ସେ ପ୍ରକାଶ କରନ୍ତି, ଗଳ୍ପ, ପ୍ରବନ୍ଧ ଓ କବିତା ଲେଖିବା ହେଉଛି ତାଙ୍କର ପ୍ରବୃତ୍ତି, ଅନ୍ତରର ଆବେଗ ଏବଂ ବଞ୍ଚିବାର ଏକ ଭିନ୍ନ କାରଣ । ବିଗତ ଦୀର୍ଘ ୧୫ ବର୍ଷର ନିରନ୍ତର ଯାତ୍ରାର ଯାତ୍ରୀଟିଏ ସାଜି, ଗଳ୍ପ, ପ୍ରବନ୍ଧ ଓ କବିତା ରୂପରେ ପ୍ରାୟ ୪୦୦ରୁ ଅଧିକ ଲେଖା ଲେଖି ସାରିଛନ୍ତି । ତନ୍ମଧ୍ୟରୁ ୩୦୦ରୁ ଅଧିକ ଲେଖା ବିଭିନ୍ନ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ହୋଇଅଛି ।