October 25, 2025

ବିଶ୍ୱ ପ୍ରସିଦ୍ଧ ମନୋବୈଜ୍ଞାନିକ ପ୍ରଫେସର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

1 min read

ଭୁବନେଶ୍ୱର: ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିବା ଓଡିଶା ଜନ୍ମିତ ମନୋବୈଜ୍ଞାନିକ ପ୍ରଫେସର ଜଗନ୍ନାଥ ପ୍ରସାଦ ଦାସଙ୍କର ନିଧନ ହୋଇଛି । କାନାଡାରେ ରହୁଥିବା ଫ୍ରଫେସର ଜଗନ୍ନାଥ ପ୍ରସାଦ ଦାସ କାନାଡାର ଏଡ୍‌ମୋଣ୍ଟନ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୩୧ ମସିହା ଜାନୁଆରୀ ୨୦ ତାରିଖରେ ସେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ରେଭନ୍ସାରେ ସେ ପାଠ ପଢା ଶେଷ କରିବା ପରେ ସେହି ସମୟ ବିହାର ପାଟଣା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେଠାରେ ସେ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଲଣ୍ଡନରେ ଶିକ୍ଷାଗ୍ରହଣ କରିଥିଲେ । ସେହିସମୟରେ ପ୍ରଫେସର ଆଇସେଙ୍କ୍‌ଙ୍କ ତତ୍ୱାବଧାନରେ ସେ ଲଣ୍ଡନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଉତ୍କଳବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।ଆମେରିକା ଓ ୟୁରୋପ ସହ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ଫାକଲ୍ଟି ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ କାନାଡାରେ ବସବାସ କରିଥିଲେ ।

୧୯୯୭ ମସିହାରୁ ଆଲ୍‌ବର୍ଟା ବିଶ୍ୱବିଦ୍ୟାଳୟରେ ତାଙ୍କର ସମ୍ମାନରେ ଏକ ବିଭାଗର ନାମ ରଖାଯାଇଛି । ଏବେ ବି ସେ ବିଭାଗର ନାମ ଜେପି ଦାସ୍‌ ଡେଭଲପ୍‌ମେଣ୍ଟାଲ୍‌ ଡିସାବିଲିଟି ସେଣ୍ଟର । ସାରା ବିଶ୍ୱରେ ସେ ତାଙ୍କର ଗବେଷଣା ପାଇଁ ପ୍ରସିଦ୍ଧ । କଗ୍ନିଟିଭ୍‌ ସାଇକୋଲଜିରେ ଗବେଷଣା ଏବଂ ତାଙ୍କର ଅବଦାନ ପାଇଁ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରେ ସେ ସମ୍ମାନିତ ହୋଇଛନ୍ତି । ପ୍ରଫେସର୍‌ ଦାସ୍‌ଙ୍କ ନିଧନ ମନସ୍ତତ୍ତ୍ୱ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ।

ଏକାଧାରରେ ସେ ଥିଲେ ଗବେଷକ, ସାମାଜିକକର୍ମୀ ଏବଂ ଗରିବମାନଙ୍କ ପାଇଁ ଦେବପୁରୁଷ । ସହିଦ୍‌ନଗରରେ ଥିବା ଜେପି ଦାସ୍‌ ଲର୍ଣ୍ଣିଂ କ୍ଲିନିକ୍‌ ଓଡିଶାରେ ସେବା ଆବଶ୍ୟକତା କରିଥିବା ଦିବ୍ୟାଙ୍ଗ ପିଲାଙ୍କ ପାଇଁ କାର୍ଯ୍ୟକରୁଛି ।