ରାଜ୍ୟର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଚାଲିବ ଇ-ବସ୍
1 min read
ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିବ ଆଉ ୬ ଶହ ଇ-ବସ୍। ପରିବେଶ ସୁରକ୍ଷା ତଥା ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କେବଳ ରାଜଧାନୀ ଭୁବନେଶ୍ଵର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଇ-ବସ୍ ଚାଲିବ।
୬ ଶହ ବସ ମଧ୍ୟରୁ ରାଜ୍ୟ ସରକାର ୨୦୦ ଇ-ବସ କିଣିବେ। କେନ୍ଦ୍ର ସରକାର ଆଉ ୪୦୦ ଇ-ବସ ଯୋଗାଇ ଦେବେ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୨୫ଟି ଇ-ବସ ଆସିବ। ଏହି ବସଗୁଡ଼ିକ ସମ୍ବଲପୁରରେ ଚାଲିବ। ପରବର୍ତ୍ତୀ ସମୟରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୁଳରେ ଗଡ଼ିବ ଇ-ବସ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଇ-ବସ ସେବା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହା ଦ୍ଵାରା ଲୋକଙ୍କ ଯାତାୟତ ସୁଲଭ ଓ ସହଜ ହୋଇପାରିବ।
ଇ-ବସ ସେବାରେ ଦେଶରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ତେଣୁ ଲୋକଙ୍କ ଯାତ୍ରାକୁ ସହଜ କରିବା ଲାଗି ଆଉ ୬୦୦ ନୂଆ ବସ ଚଳାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।