ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ
1 min read
ନୀଳଗିରି: ଆଦିବାସୀ ଜନଜାତି ଓ ଜାତି ତଥା ପଛୁଆବର୍ଗର ପିଲାମାନଙ୍କୁ ସରକାରଙ୍କ ତରଫରୁ ରହିବା, ଖାଇବା ଏବଂ ମାଗଣାରେ ପାଠପଢ଼ାଇ ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ଆଶ୍ରମ, ସେବାଶ୍ରମ ଏବଂ ଅନ୍ୟାନ୍ୟ ଦେୟମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନପାଇଁ ପ୍ରୋତ୍ସାହନ ଯୋଗାଇଦେଉଛନ୍ତି। ଏଣେ ନୀଳଗିରି ବ୍ଲକରେ ଜଣେ ଆଦିବାସୀଛାତ୍ରକୁ ଲୁହା ଶିକୁଳିରେ ବାନ୍ଧିରଖିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ସିଟ ଥାଇ ଏକ ହଷ୍ଟେଲରେ ଆଖପାଖ ଅଂଚଳର ପିଲା ପାଠପଢନ୍ତି। ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମ୍ଭାରଖଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉକ୍ତ ଘଟଣା ଜାଣି ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତକରି ଏଭଳି ନିନ୍ଦନୀୟ, ଜଘନ୍ୟ କାଣ୍ଡପାଇଁ ତତନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ତେବେ ଛାତ୍ରଜଣକ ବାରମ୍ବାର ହଷ୍ଟେଲରୁ ଲୁଚି ଘରକୁ ପଳାଇ ଯାଉଥିବାରୁ ତାକୁ ବାନ୍ଧି ଦେଇଥିବା ହଷ୍ଟେଲ ଭାଇ ସମ୍ବୋଧନ କରୁଥିବା ବାଳକ ଜଣକ ଭିଡିଓରେ କହୁଥିବା ଜଣାଯାଇଛି। ତେବେ ରାଜ୍ୟସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଥିବା ବେଳେ ଦୀର୍ଘ ୧୦ଦିନ ଧରି ଛାତ୍ରଜଣକୁ ବେଡ଼ି ପକାଇ ରଖିବା ମାନବୀୟ ଉଲ୍ଲଂଘନ ବୋଲି ବୁଦ୍ଧିଜୀବୀମାନେ କହୁଥିବାବେଳେ ଛାତ୍ରର ବାପା ପିଲାର ଏପରି ଦୁଷ୍ଟାମିପାଇଁ ବାନ୍ଧି ରଖିବାକୁ କହିଥିବା ହଷ୍ଟେଲ ଚାର୍ଜରେ ଥିବା ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି।


