March 13, 2026

ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ

1 min read

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟନ୍ବୟ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଆଜି(ଶୁକ୍ରବାର) ଶେଷ ହୋଇଛି। ଏହି ପ୍ରଶିକ୍ଷଣ ୧୦ ମାର୍ଚ୍ଚ ଠାରୁ ୧୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ (ଆର.ଓ.ଟି.ଆଇ)ରେ ଆୟୋଜିତ ହୋଇଥିଲା। ଶେଷ ତଥା ଚତୁର୍ଥ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପଲନ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ।

ଶେଷ ଦିନର ପ୍ରଶିକ୍ଷଣରେ ଖୋର୍ଦ୍ଧା, ଗଂଜାମ, ନୟାଗଡ଼, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ଯୋଗଦେଇଥିଲେ।ପ୍ରଶିକ୍ଷଣ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ, ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟନ୍ବୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।