March 20, 2026

ମର୍ମନ୍ତୁଦ କାର୍ ଦୁର୍ଘଟଣା: ଦୁଇ ଯୁବକଙ୍କ ମୃତ୍ୟୁ

1 min read

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ଠାରୁ ପାଡୁଆ ମୁଖ୍ୟ ରାସ୍ତାରେ ଘଟିଥିବା ଏକ ଭୟାବହ କାର୍ ଦୁର୍ଘଟଣାରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ଏକ ଅଲ୍ଟୋ କାର୍ (ଓଆର୍ ୧୮ ଏ ୬୩୩୬) ନନ୍ଦପୁରରୁ ପାଡୁଆ ଦିଗକୁ ଯାଉଥିବାବେଳେ ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ପାଖରେ ଥିବା ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ ଗାଡ଼ିଟି ଭାରି କ୍ଷତିଗ୍ରସ୍ତ ହୋଇ ଆରୋହୀମାନେ ଭିତରେ ଛିଟକି ପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିପାରି ନନ୍ଦପୁର ଅଗ୍ନିଶମ ବିଭାଗର ଏଏସଓ ହେମନ୍ତ କୁମାର ସାମଲ, ପ୍ରକାଶ କିଷାନ୍ ସହ ଅନ୍ୟ ସହଯୋଗୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଗାଡ଼ିର କବାଟ ଭାଙ୍ଗି ଆହତ ଦୁହିଁଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଆହତମାନଙ୍କୁ ତୁରନ୍ତ ଦମକଳ ଗାଡ଼ିରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ନନ୍ଦପୁର ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ, ଏସଆଇ ବେଦବର ସାହୁ ଓ ଗୁପ୍ତେଶ୍ୱର ଗୌଡ ପ୍ରମୁଖ ଉପସ୍ଥିତ ରହି ଦୁର୍ଘଟଣାର ସଠିକ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି।