ମହିଳାଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍
1 min read
ଦିଗପହଣ୍ଡି: ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ଖେମୁଣ୍ଡି କଲେଜ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ୍ (ନଂ.ଓଡ଼ି ୦୭ ବି-୬୩୫୪) ମାଡ଼ିଯିବାରୁ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ରାଣୀ ପାତ୍ର ନାମ୍ନୀ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣାରେ ତାଙ୍କ ସ୍ବାମୀ ଲକ୍ଷ୍ମୀନାରାୟଣ ପାତ୍ର ଏବଂ ଝିଅ ଲିଟିଲି ସାମାନ୍ୟ ଆହତ ହୋଇଛନ୍ତି। ଲକ୍ଷ୍ମୀନାରାୟଣ ତାଙ୍କ ବାଇକ୍ ଯୋଗେ ଖରିଆଗୁଡ଼ା ଗ୍ରାମକୁ ଯାଉଥିବା ବେଳେ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା। ବାଇକ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ିଯିବାରୁ ରାଣୀ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ଟ୍ରକ ଚକା ତାଙ୍କ ମୁଣ୍ଡଉପରେ ମାଡ଼ିଯିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବାଇକ୍କୁ ଜବତ କରିଛନ୍ତି। ମୃତଦେହକୁ ଥାନା ମାମଲା ନଂ.୩୦/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।