February 15, 2026

ପ୍ରତି ଘଣ୍ଟାରେ ହେବ କୋଚ୍‌ ସଫେଇ

1 min read

ନୂଆଦିଲ୍ଲୀ: ରେଳରେ ଯାତ୍ରୀ ପରିବହନକୁ ଅଧିକ ଆରାମଦାୟକ କରିବା ସହିତ ରେଳ କୋଚ୍‌ଗୁଡ଼ିକରେ ସ୍ବଚ୍ଛତା ଆଣିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ କିଛି ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୮୦ଟି ଦୂରଗାମୀ ଟ୍ରେନ୍‌ରେ ନୂତନ ସଫେଇ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ଏ ନେଇ ରେଳ ମନ୍ତ୍ରୀ ଅଶ୍ବନି ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିପାଇଁ ଆଧୁନିକ ଜ୍ଞାନକୌଶଳ ମଧ୍ୟ ବିନିଯୋଗ କରାଯିବ ବୋଲି ସେ କହିଛନ୍ତି। ଏବେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, କୌଣସି ଯାତ୍ରୀବାହୀ ଟ୍ରେନ୍‌ର ଗନ୍ତବ୍ୟ ପଥରେ ଥିବା ଏକାଧିକ ବଡ଼ ରେଳ ଷ୍ଟେସନରେ ଟ୍ରେନ୍‌ର ବଗିରେ ଥିବା ଟଏଲେଟ୍‌ ସଫା କରାଯାଇଥାଏ। କିନ୍ତୁ ଏହି ପ୍ରକ୍ରିୟା ପ୍ରତି ଘଣ୍ଟାରେ କରାଯିବ। ସେହିପରି ସାଧାରଣ ଶ୍ରେଣୀ ବଗିରେ ମଧ୍ୟ ସଫେଇକୁ ପ୍ରାଧାନ୍ୟ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ନିଯୁକ୍ତ କରାଯିବା ସହିତ ସଫେଇ ନେଇ ଯାତ୍ରୀଙ୍କ ସନ୍ତୋଷ ସଂକ୍ରାନ୍ତରେ ମତାମତ ନିଆଯିବ। ଅନେକଗୁଡ଼ିଏ ଟ୍ରେନ୍‌ରେ ଏବେ ଅତ୍ୟାଧୁନିକ କୋଚ୍‌ ସଂଯୋଗ କରାଯାଇଥିବା ବେଳେ ବର୍ଥଗୁଡ଼ିକ ସମେତ ଟଏଲଟ୍‌ ଓ ରେଳ ଷ୍ଟେସନରେ ପରିଷ୍କାର ପରିଚ୍ଛନତାକୁ ଗୁରୁତ୍ବ ଦିଆଯିବ ବୋଲି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି।